Categories: ଜାତୀୟ

ଥମୁନି ସନାତନ ଧର୍ମ ବିବାଦ, ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୧୫।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ଏମ୍‌ପି ଏ ରାଜାଙ୍କ ବୟାନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଚେନ୍ନାଇର ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହିତ ତୁଳନା କରିଥିବା ବେଳେ ଡିଏମକେ ଏମ୍‌ପି ଏ ରାଜା ସନାତନ ଧର୍ମକୁ ଏଚ.ଆଇ.ଭି. ସହ ତୁଳନା କରିଥିଲେ। ଉଭୟ ନେତାଙ୍କ ଏହି ବୟାନକୁ ନେଇ ଭାଜପା ଖପ୍ପା ହୋଇଯାଇଛି।

ଏଥି ସହିତ ଚେନ୍ନାଇର ଓକିଲ ତାଙ୍କ ଆବେଦନରେ ଉଦୟନିଧି ଏବଂ ଏ ରାଜାଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିବାକୁ ଦାବି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଡିଏମକେ ନେତାମାନଙ୍କୁ ଏଭଳି ବୟାନ ଦେବାରୁ ବନ୍ଦ କରାଯାଉ। ଏଥିସହ ତାମିଲନାଡୁର ସନାତନ ଧର୍ମ ବିରୋଧରେ ଚାଲିଥିବା କାର୍ଯ୍ୟକ୍ରମଗୁଡିକ ଅସାମ୍ବିଧାନିକ ଘୋଷିତ ହେବା ଉଚିତ୍‌।

ଆବେଦନକାରୀ ଶୁକ୍ରବାର ତାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଶୁଣାଣି ପାଇଁ ସେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରିବା ଉଚିତ୍‌। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ବୟାନକୁ ନେଇ ଦେଶର ରାଜନୈତିକ ଉତ୍ତେଜନାପୁର୍ଣ୍ଣ ରହିଛି।

Share