Categories: ଫୁରସତ

ପରିଚୟ ଦେଇଛି ବାଲୁକା କଳା

ପଢ଼ାବେଳେ ଛୁଟିଦିନମାନଙ୍କରେ ପୁରୀ ବେଳାଭୂମିରେ ସେ ସମୟ କାଟୁଥିଲେ। ସାଙ୍ଗସାଥୀଙ୍କ ସହ ମିଶି ସମୁଦ୍ର ପାଣିରେ ଗାଧୋଇବା ଓ ବାଲିରେ ଘର ତୋଳିବା ତାଙ୍କୁ ଆନନ୍ଦ ଦେଉଥିଲା। ହେଲେ କୌଣସି ବାଲୁକା ଶିଳ୍ପୀଙ୍କ ଦ୍ୱାରା ବେଳାଭୂମିରେ ନିର୍ମିତ ବାଲୁକା କଳା ଥିଲା ତାଙ୍କ ପାଇଁ ମୁଖ୍ୟ ଆକର୍ଷଣ। ଯାହାକୁ ଦେଖି ସେ ନା କେବଳ ବିମୋହିତ ହେଉଥିଲେ ବରଂ ନିଜେ ମଧ୍ୟ ସେହିପରି ବାଲୁକା କଳା ନିର୍ମାଣ କରିବା ପାଇଁ ସ୍ବପ୍ନ ଦେଖୁଥିଲେ। ଯୁକ୍ତ ୨ ପଢ଼ା ଶେଷ ହେବା ପରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଠାରୁ ତାଙ୍କର ବାଲୁକା କଳା ଶିଖିବା ଆରମ୍ଭ ହୋଇଥିଲା। ଆଉ ବର୍ତ୍ତମାନ ନିଜ ଉଦ୍ୟମ ବଳରେ ଜଣେ ଜାତୀୟସ୍ତରୀୟ ବାଲୁକା ଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ପୁରୀରେ ଥିବା ମେଡିକାଲ୍‌ ସ୍କୋୟାର୍‌ ନିକଟସ୍ଥ ତଳମାଳି ସାହିରେ ରହୁଥିବା ମିତାଲି ଏବଂ ଲୋକନାଥ ମହାନ୍ତିଙ୍କ ପୁଅ ଚିତ୍ତ ରଞ୍ଜନ। ସେ କୁହନ୍ତି, ”ବାଲୁକା କଳା ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା। ୨୦୦୯ରେ ଯେବେ ପ୍ରଥମ ଥର ପାଇଁ ବାଲୁକା କଳା ନିର୍ମାଣ ଆରମ୍ଭ କରିଥିଲି, ତାହା ଏକ ସୁଖଦ ଅନୁଭୂତି ଥିଲା। ପର୍ଯ୍ୟଟକମାନେ ଯେତେବେଳେ ମୋ ବାଲୁକା କଳାର ପ୍ରଶଂସା କରୁଥିଲେ, ଯେଉଁ ଆନନ୍ଦ ମିଳୁଥିଲା ତାହା ଅବର୍ଣ୍ଣନୀୟ।“ ଦୀର୍ଘ ୧୫ ବର୍ଷ ହେବ କେବଳ ପୁରୀ କିମ୍ବା ଓଡ଼ିଶାର ବିଭିନ୍ନ ସ୍ଥାନରେ ନୁହେଁ ବରଂ ମୁମ୍ବାଇ, ଦିଲୀ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରେ ବାଲୁକା କଳା ନିର୍ମାଣ କରି ସେ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି। ଇଣ୍ଟରନ୍ୟାଶନାଲ ସି ବିଚ୍‌ ଫେଷ୍ଟିଭାଲ୍‌ ୨୦୧୫, ରଥଯାତ୍ରା ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ-୨୦୧୮, ଇଣ୍ଟରନ୍ୟାଶନାଲ ହ୍ୟୁମାନ୍‌ ରାଇଟ୍ସ ଡେ’ ଫେଷ୍ଟିଭାଲ୍‌ ୨୦୨୨, କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ, ଇଣ୍ଟରନ୍ୟାଶନାଲ ନର୍ସିଂ ଡେ’ ୨୦୨୩ ଆଦିରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଭବିଷ୍ୟତରେ ନିଜ ଗୁରୁ ମାନସ ସାହୁଙ୍କ ପରି ଏକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ହେବାର ଲକ୍ଷ୍ୟ ରଖିଥିବା ଚିତ୍ତରଞ୍ଜନ ଟେରାକୋଟା ଭଳି ଅନ୍ୟାନ୍ୟ ହସ୍ତକଳାରେ ମଧ୍ୟ ବେଶ୍‌ ନିପୁଣ।
– ଅଜିତ ମହାନ୍ତି

Share