ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା ସହ ନଦୀ ମହାନଦୀ ଗତିପଥ ପରିବର୍ତ୍ତନ ହେଉଛି। ଏଥିସହ ନଦୀ ମଧ୍ୟରେ ବଡ଼ ବଡ଼ ବାଲିପଠା ସୃଷ୍ଟି ହେଉଛି। ଫଳରେ ପୂର୍ବ ଅପେକ୍ଷା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜିଲାରେ ଦେଶୀ ଓ ସାମୁଦ୍ରିକ ମାଛ ମାରିବା ଅସମ୍ଭବ ହେଉଛି। ଦିନ ଥିଲା ଦୈନଦିନ ମହାନଦୀରେ ଜାଲ ବସାଇ ବହୁ କୁଇଣ୍ଟାଲ ମାଛ ଧରୁଥିଲେ। ଅଦ୍ୟାବଧି ମାଛ ୨/୪ କିଲୋ ମାଛ ଧରିବା କଷ୍ଟ ହେଉଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।
ମୌସୁମୀ ବର୍ଷା ଋତୁରେ ଅନିୟମିତତା ଯୋଗୁ ଉପର ମୁଣ୍ଡରୁ ବନ୍ୟାଜଳ ସ୍ରୋତ ହ୍ରାସପାଉଛି। ଅପରପକ୍ଷରେ ନଦୀ ଉପର ମୁଣ୍ଡରୁ ବନ୍ୟା ଓ ଉଦବୃତ୍ତ ବର୍ଷାଜଳ ହ୍ରାସ ପାଇବା ଯୋଗୁ ମାଟି ବାଲି ପଙ୍କ ଜମି ନଦୀ ମଧ୍ୟରେ ବାଲିପଠା ସୃଷ୍ଟି ହେଉଛି। ବାଲି ପଠା ସୃଷ୍ଟିହେବା ଯୋଗୁ ଫେରିଘାଟ ଯାତାୟାତ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲାର ରାମନଗର ପଞ୍ଚାୟତ ବରଜ ବାହାକୁଦ ଗାଁ କୂଳରେ ପ୍ରବାହିତ ମହାନଦୀରେ।
ଆଖଡ଼ାଶାଳୀଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ୫ ରୁ ଊର୍ଦ୍ଧ୍ୱ କି.ମି. ପର୍ଯ୍ୟନ୍ତ ପଠା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଫଳରେ ବାହାକୁଦ ଫେରି ଘାଟ ମହାନଦୀରେ ଡଙ୍ଗା ଚଳାଚଳ କରିବାକୁ ବାଲିପଠା ସୃଷ୍ଟି ଯୋଗୁ ୧ କି.ମି. ବୁଲାଣି ନଦୀପଥ ଦେଇ ପାରାଦୀପ ଶିଳ୍ପ ପାର୍ଶ୍ୱ ମୂଷାଡିଆ ନଦୀ କୂଳରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଯାଇଥାନ୍ତି। ବିଶେଷକରି ପ୍ରବଳ ବର୍ଷା ପବନ ଓ ବନ୍ୟା ଜଳ ସ୍ରୋତ ପ୍ରଭାବରେ ଘାଟ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ସମୁଦ୍ର ମୁହାଣକୁ ଭାସିଯାଉଥିବା ନଜିର ରହିଛି। ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥାଏ। ତେବେ ମହାନଦୀ ମଝିରେ ବାଲି ପଠା ସୃଷ୍ଟି ହେଉଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନଦୀରେ ଡ୍ରେଜିଂ ବା ଖନନ କରାଗଲେ ନଦୀରେ ସ୍ବାଭାବିକ ଭାବେ ସମୁଦ୍ର ମୁହାଣ ଦେଇ ବନ୍ୟା ଓ ଉଦବୃତ୍ତ ବର୍ଷା ଜଳ ସ୍ରୋତ ପ୍ରବାହିତ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଅନେକ ସମୟରେ ମହାନଦୀରେ ବାଲିପଠା ଯୋଗୁ ଡଙ୍ଗା ଯାତାୟାତ ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହେଉଥିବା ନଜିର ରହିଛି ବୋଲି ପୂର୍ବତନ ସରପଞ୍ଚ ବିକାଶ ଚନ୍ଦ୍ର ଦେବନାଥ କହିଛନ୍ତି।