ଲିଜ୍‌ ଏରିଆ ବାହାରୁ ବାଲି ଲୁଟ୍‌

କାଏମା,୨୪ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ଓ କାଏମା କେଲୁଅ ନଦୀର ଲିଜ୍‌ ଏରିଆ ବାହାରୁ ବେଧଡ଼କ ଭାବେ ଶହଶହ ଟ୍ରିପ ବାଲି ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଯେଉଁସବୁ ବାଲି ଘାଟକୁ ଲିଜ୍‌ ଦିଆଯାଇଛି ସେଠାରେ ମେଶିନ ସାହାଯ୍ୟରେ ବାଲି ଉତ୍ତୋଳନ ପାଇଁ ଅନୁମତି ନାହିଁ। କେବଳ ଶ୍ରମିକଙ୍କ ଦ୍ବାରା ବାଲି ବୋଝେଇ କରିବା ପାଇଁ ଚୁକ୍ତି ହୋଇଛି। ହେଲେ ଏଠାରେ ଲିଜଧାରୀ ମେଶିନ ବ୍ୟବହାର କରି କରି ବାଲି ନେଉଛନ୍ତି। ଆଗକୁ ନଦୀରେ ପାଣି ହୋଇଯିବ ବୋଲି ସ୍ଥାନୀୟ ମାଫିଆମାନେ ଆଗୁଆ ବାଲି ନେଇ ଗଚ୍ଛିତ ରଖୁଛନ୍ତି। ତାହାକୁ ପର ମୁହୂର୍ତ୍ତରେ ମନଇଚ୍ଛା ଦରରେ ବିକ୍ରି କରିବେ। ଏହି କାରଣରୁ ରାଜ୍ୟ ସରକାରଙ୍କ ବିପୁଳମାତ୍ରାରେ ରାଜସ୍ବ ହାନି ହେଉଥିବା ଅଭିଯୋଗ ହେଉଛି। ହେଲେ ଏତେ ସବୁ ପରେ ବି ତହସିଲର ପ୍ରଶାସନର ନିଦ ଭାଙ୍ଗୁନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସେହିପରି କାଏମା ବଜାର ମଧ୍ୟ ଦେଇ ଖୁଲମ ଖୁଲା ହାଇୱା ଓ ଡମ୍ଫର ଯୋଗେ ଓଭର ଲୋଡ ସହ ବିନା ପାଲରେ ଶହ ଶହ ଟ୍ରିପ ବାଲି ପରିବହନ କରାଯାଉଛି। ନିୟମ ଅନୁସାରେ ଗାଡ଼ି ଉପରେ ପାଲ ପକାଇ ପରିବହନ କରିବା କଥା। କିନ୍ତୁ କେତେଜଣ ଡ୍ରାଇଭର ଓ ଲୋକାଲ ମାଲିକ ପାଲ ଆଦୌ ପକାଉନାହାନ୍ତି। କିଛି ଗାଡ଼ି ଫାଇନ ଭୟରେ ପତଳା ପାଲ ପକାଉଥିବାରୁ ବାଲି ରାସ୍ତାରେ ଜମା ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଦୈନିକ ଦୁର୍ଘଟଣା ବୃଦ୍ଧି ପାଉଛି। ଏ ସମ୍ପର୍କରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ବାଲିଘାଟରେ ମେଶିନ ବ୍ୟବହାରକୁ ଅନୁମତି ନାହିଁ। ଏଥିସହିତ ଉପରୋକ୍ତ ଘାଟଗୁଡ଼ିକରେ ମେଶିନ ବ୍ୟବହାର ହେଉଛି ବୋଲି ସେ ଜାଣିନାହାନ୍ତି।

Share