ଘସିପୁରାରେ ବଢୁଛିି ବାଲି ଚୋରାଚାଲାଣ

ରାମଚନ୍ଦ୍ରପୁର,୨୩।୬(ଗଣେଶ୍ୱର ସା): କେନ୍ଦୁଝର ଜିଲା ଘସିପୁରା ତହସିଲ ଅଞ୍ଚଳରେ ବାଲି ଚୋରାଚାଲାଣ ବଢ଼ୁଛି। ବିଶେଷ କରି ତହସିଲ ଅନ୍ତର୍ଗତ ସାଇଁକୁଳ ସର୍କଲ ଅଧୀନରେ ଥିବା ବୈତରଣୀ ନଦୀର ବାତୋ ଘାଟରୁ ବେଧଡ଼କ ବାଲି ଉଠାଯାଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ସାଧାରଣ ଲୋକେ ଭୟରେ ମୁହଁ ଖୋଲୁ ନ ଥିଲେ ବି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ପ୍ରକାଶ ଯେ, ବୈତରଣୀର ଅଞ୍ଜିରା ଘାଟ, କୁସେଇ ନଦୀ ଓ ବୈତରଣୀର ତିନିମୁହାଣି ନିକଟରୁ ମଧ୍ୟ ବେଧଡ଼କ ଭାବେ ବାଲି ଚୋରାଚାଲାଣ କରାଯାଉଛି। ମାଫିଆ ଦୈନିକ ଟ୍ରାକ୍ଟରରେ ଶହଶହ ଟ୍ରିପ୍‌ ବାଲି ଉଠାଇ ବିକ୍ରି କରୁଛନ୍ତି। ଏଥି ପ୍ରତି କାହାର ଦୃଷ୍ଟି ପଡୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି। ପ୍ରଶାସନ କବଳରୁ ରକ୍ଷା ପାଇବା ପାଇଁ ଗାଡ଼ି ନମ୍ବର ପ୍ଲେଟ୍‌ ଖୋଲି ନିର୍ଭୟରେ ବାଲିଚାଲାଣ କରୁଛନ୍ତି। ବାତୋ ବଜାର ଦେଇ ବାଲି ଗାଡ଼ି ଯାଉଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଜିଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବସରପ୍ରାପ୍ତ ସେନା ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ଦାବି କରିଛନ୍ତି। ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା କହିଛନ୍ତି, ମାଇନିଂ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକଥା, ତଥାପି ଆମେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେଷ୍ଟା କରୁଛୁ।