Advertisement

ବେଧଡ଼କ ବାଲି ଚୋରା ଚାଲାଣ

ଯାଜପୁର ସଦର,୮ା୧(ସମର ବିଜୟ ଶରଣ): ଯାଜପୁର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁର-କୁଆଖିଆକୁ ସଂଯୋଗ କରୁଥିବା ଖରସ୍ରୋତା ନଦୀର ରାଜଘାଟଠାରେ ଥିବା ସେତୁ ନିକଟରୁ ବେଧଡ଼କ ବାଲି ଉଠାଯାଇ ଚୋରା ଚାଲାଣ କରାଯାଉଛି। ଏଥିଯୋଗୁ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି। ଫଳରେ ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ଖରସ୍ରୋତା ସେତୁଠାରୁ ମାତ୍ର ୫୦ ମିଟର ଉପରକୁ ମାଫିଆମାନେ ଦୈନିକ ଶହଶହ ହାଇୱା ଯୋଗେ ବାଲି ଉଠାଇ ଚୋରାରେ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ସେତୁର ଅତି ନିକଟରୁ ବାଲି ଖନନ ଫଳରେ ସେତୁ ପ୍ରତି ବିପଦ ଦେଖାଦେଇଛି।
ଏହି ରାସ୍ତାଦେଇ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଜିଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ମାଫିଆ ଗାଡ଼ି ନମ୍ବର ପ୍ଲେଟ୍‌ ଖୋଲି ନିର୍ଭୟରେ ବାଲିଚାଲାଣ କରୁଛନ୍ତି। ଏଥିପ୍ରତି ପୋଲିସ ଓ ପରିବହନ ବିଭାଗ ମଧ୍ୟ ଆଖିବୁଜି ଦେଇଛି। କିଛି ଦିନ ପୂର୍ବେ ସାଧାରଣ ଲୋକଙ୍କ ଅଭିଯୋଗକ୍ରମେ ଖଣି ବିଭାଗ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇଥିଲା। ଏହାଦେଖି ମାଫିଆମାନେ ଦୌଡ଼ି ପଳାଇଥିଲେ। ଖଣି ବିଭାଗ ଅଧିକାରୀ ୩ ବାଲି ବୋଝେଇ ହାଇୱାକୁ ଜବତ କରି ସଦର ଥାନାରେ ଜିମା ଦେଇଥିଲେ। ଏହାପରେ ଆଉ ଚଢ଼ାଉ ହେଉନାହିଁ। ଫଳରେ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରଶାସନ ତୁରନ୍ତ ଏଇ ବାଲିଘାଟକୁ ବେଆଇନ ଘୋଷଣା କରିବା ସହିତ ପୋଲକୁ ସୁରକ୍ଷିତ ରଖିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି। କିଛି ବର୍ଷ ପୂର୍ବେ ବେଆଇନ ବାଲି ଉଠାଣ ଯୋଗୁ ଯାଜପୁର ଜିଲାର ରୁଢିଆ ନିକଟ ସେତୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ଯାଜପୁର-ଷଠିପୁର ରାସ୍ତାରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share