ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ଦେବଗଡ଼,୧୭।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରର ପୁରୁଣାଗଡ଼ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପରିସରରୁ ଦୁର୍ବୃତ୍ତମାନେ ଶୁକ୍ରବାର ରାତିରେ ତିନୋଟି ମୂଲ୍ୟବାନ୍‌ ଚନ୍ଦନ ଗଛ କାଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି।  ଏହି ଚନ୍ଦନ ଗଛ ପାଖାପାଖି ୧୫ ବର୍ଷ ପୁରୁଣା । ୯-୧୦ ହାତ ଲମ୍ବ ଏବଂ ମୋଟେଇ ୪ ରୁ ୬ ଇଞ୍ଚର ଏହି ଗଛକୁ ଏକ ଧାରୁଆ ଅସ୍ତ୍ର  କଟର ମେଶିନ ସାହାଯ୍ୟରେ ମୂଳରୁ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି। ଏପରିକି ଦୁର୍ବୃତ୍ତମାନେ ଗଛର ଶାଖା ପ୍ରଶାଖାଗୁଡିକୁ କାଟି ଗଛପାଖକୁ ଲାଗିଥିବା କାନ୍ଥ ପାଖରେ ପକାଇଦେଇ ଫେରାର ହୋଇଯାଇଛନ୍ତି।
ଶନିବାର ଭୋର୍‌ରେ ଷ୍ଟାଡିୟମକୁ ଖେଳିବାକୁ ଆସୁଥିବା ଖେଳାଳିମାନେ ଏହା ଦେଖିଥିଲେ ଓ ସଙ୍ଗେ ସଙ୍ଗେ ଜିଲା କ୍ରୀଡା ସମ୍ପାଦକ ଧୀରେନ୍ଦ୍ର ନାୟକଙ୍କୁ ଖବର ଦେଇଥିଲେ। ସମ୍ପାଦକ ନାୟକ ଆସି ଦେଖିବା ପରେ  ଦେବଗଡ଼ ପୋଲିସ ଏବଂ  ଡିଏଫଓ  ଜିଲାପାଳ, ଏସ୍‌ପିଙ୍କୁ ଲିଖିତ ସୂଚନା ଦେଇଥିଲେ । ଏତଲାକୁ ଭିତିକରି ପୋଲିସ ଓ ବନବିଭାଗ ମାମଲା ରୁଜୁ କରିବା ସହ ଅନୁସନ୍ଧାନ ଚଲାଇଛି ।
Share