ଭୁବନେଶ୍ୱର,୧୮ା୮(ଅସମାପିକା ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆ ସୁଙ୍ଗୁଡ଼ା ଗ୍ରାମର ସନ୍ଦୀପ ଜେନାଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି.ଏସ୍.କେ.ଓ୍ବାଇ. ଟିମ୍ ପକ୍ଷରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଇତିମଧ୍ୟରେ ତାଙ୍କ ପାଇଁ ସୁପର ସ୍ପେଶାଲିଟି ଚିକିତ୍ସା ବ୍ୟବସ୍ଥା ହୋଇଛି । ତାଙ୍କ ପରିବାରଙ୍କୁ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସନ୍ଦୀପ ପରିବା ବେପାର କରି ଜୀବିକା ଅର୍ଜନ କରୁଥିଲେ। ଦିନେ ବାଇକ୍ରେ ଯାଉଥିବା ବେଳେ ପାଣିକୋଇଲି ପାଖରେ ସେ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ସନ୍ଦୀପଙ୍କ ପରିବାରକୁ ବି.ଏସ୍.କେ.ଓ୍ବାଇ.ରେ ସାମିଲ କରାଯାଇ ଥିବାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ ନେଇ ଆଡମିଶନ କରାଇଥିଲେ। ସେଠାରେ ସେ ବି.ଏସ୍.କେ.ଓ୍ବାଇ. କାର୍ଡ ବଳରେ ଚିକିତ୍ସିତ ହୋଇଥିଲେ। ଅପରେଶନ ପରେ ସ୍ପର୍ଶ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ। ପରେ ସେ ପୁଣି (ଟ୍ରିନିଟି ନ୍ୟୁରୋ ହସ୍ପିଟାଲ ଆଣ୍ଡ୍ ଟ୍ରମା କେୟାର) ନାମକ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ଯାଇ ଆଡମିଶନ ହୋଇଥିଲେ ଏବଂ ସେଠାରେ ମଧ୍ୟ ବି.ଏସ୍.କେ.ଓ୍ବାଇ. କାର୍ଡ ମାଧ୍ୟମରେ ମାଗଣା ସୁପର ସ୍ପେଶାଲିଟି ଚିକିତ୍ସା ପାଇଥିଲେ।
ବର୍ତ୍ତମାନ ପରବର୍ତ୍ତୀ ଚିକିତ୍ସା ପାଇଁ ସନ୍ଦୀପଙ୍କୁ କଟକର ଏସ୍.ସି.ବି. ମେଡିକାଲ କଲେଜ ହସ୍ପିଟାଲରେ ଆଡମିଶନ କରାଯାଇଛି। ସେ ଅସ୍ଥିଶଲ୍ୟ ବିଭାଗର ୨୯୪ ନମ୍ବର ବେଡ୍ରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସୁଧୁରୁଛି। ତାଙ୍କର ଆରୋଗ୍ୟ ଲାଭ ପାଇଁ ସମସ୍ତ ପ୍ରକାର ଚିକିତ୍ସା କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।