Categories: ଜାତୀୟ

ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି, ଲୋକସଭା ସଚିବାଳୟକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସନ୍ଦେଶଖାଲ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସଂସଦର ବିଶେଷ ଅଧିକାର କମିଟିର ନୋଟିସକୁ କୋର୍ଟ ସ୍ଥଗିତ ରଖିଛନ୍ତି।

ପ୍ରକୃତରେ, ଭାଜପା ଏମପିଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ ପ୍ରିଭିଲେଜ କମିଟି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭାଗବତ ପ୍ରସାଦ ଗୋପାଳିକା, ଡିଜିପି ରାଜୀବ କୁମାର, ଉତ୍ତର ୨୪ ପରଗଣା ଜିଲା ମାଜିଷ୍ଟ୍ରେଟ ଶରଦ କୁମାର ଦ୍ୱିବେଦୀ, ବଶିରହାଟ ପୋଲିସ ଅଧୀକ୍ଷକ ହୁସେନ ମେହେଦି ରେହମାନ ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ପାର୍ଥ ଘୋଷଙ୍କୁ ସମନ ଜାରି କରି ୧୯ ଫେବୃଆରୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନୋଟିସକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା।

ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଭି ସୋମବାର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ସିବଲ କହିଥିଲେ, ସନ୍ଦେଶଖାଲିରେ ଧାରା ୧୪୪ ଲାଗୁ ହୋଇଥିଲା। ଏପରି ପରିସ୍ଥିତିରେ, ଧାରା ୧୪୪ କୁ ଉଲ୍ଲଂଘନ କରି କରାଯାଇଥିବା ରାଜନୈତିକ କାର୍ଯ୍ୟକଳାପ ଅଧିକାରର ଉଲ୍ଲଂଘନ ।

ଏହା ଉପରେ କୋର୍ଟ କହିଛନ୍ତି ଆମେ ଏହି ପିଟିଶନ ପଢ଼ି ନାହୁଁ, ତେଣୁ ପରେ ଏହାକୁ ତାଲିକାଭୁକ୍ତ କରିବୁ। ତେବେ ସିବଲ କହିଛନ୍ତି ନୋଟିସରେ ଅଧିକାରୀମାନଙ୍କୁ ହାଜର ହେବାକୁ କୁହାଯାଇଛି।

ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ମୁଖ୍ୟ ଶାସନ ସଚିବ, ଡିଏମ ଏବଂ ପୋଲିସ କମିଶନର ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ମଧ୍ୟ ପ୍ରାଇଭେଟ କମିଟି ସେମାନଙ୍କୁ ଡକାଇଥିଲା। ସିଂଭି ଏହା ମଧ୍ୟ କହିଛନ୍ତି ଯେ ସମାନ ମାମଲାରେ ଝାଡଖଣ୍ଡରରେ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ପଶ୍ଚିବବଙ୍ଗ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଉଭୟ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିକାର କମିଟିର ନୋଟିସକୁ ସ୍ଥଗିତ ରଖିଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ ଲୋକସଭା ସଚିବାଳୟକୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ତଲବ କରିଛନ୍ତି।

Share