ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ, ୨୭ା୬(ଅଜିତ୍‌ ମହାନ୍ତି): ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଜନ୍ମବେଦିରେ ମହାପ୍ରଭୁଙ୍କ ଲୀଳା ସରିସରି ଆସୁଛି। ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ବୁଧବାର ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଫଳରେ ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। ମଙ୍ଗଳବାର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ବିଶ୍ୱାସ ରହିଛି, ଏହି ଦିନ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ତେଣୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ ବାହୁଡ଼ା ପାଇଁ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଥିବାରୁ ସନ୍ଧ୍ୟା ୫ଟା ପରଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଏସ୍‌ପି କନୱର ବିଶାଲ ସିଂହ କହିଛନ୍ତି, ସନ୍ଧ୍ୟା ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫୋର୍ସ ନିୟୋଜିତ କରାଯିବ।

Share