ମୁମ୍ବାଇ: ବଲିଉଡ୍ର ବିଗତ ଦିନର ନାୟିକା ସଙ୍ଗିତା ବିଜଲାନୀ ଏଥର ତାଙ୍କ ଜନ୍ମଦିନ ନିରାଡମ୍ବର ସହ ପାଳନ କରିଛନ୍ତି। ଜୁଲାଇ ୯ରେ ତାଙ୍କ ଜନ୍ମଦିନ ଥିବା ବେଳେ ଏଥର ସେ ତାଙ୍କ ପିତାଙ୍କ ସହ ମିଶି ଏହି ଦିନକୁ ସେଲିବ୍ରେଟ କରିଛନ୍ତି। ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିବା ସହ କ୍ୟାଶନରେ ଲେଖିଛନ୍ତି, ମୋର ଜନ୍ମଦିନ ପାଳନ ଆରମ୍ଭ ହେଲା ଆଉ ମୋ ବାପା ମୋ ପାଇଁ ଏକ ସୁନ୍ଦର ଗୀତ ଗାଇଛନ୍ତି। ଏହି ମୁହୂର୍ତ୍ତ ତାଙ୍କ ପାଇଁ ଏକ ଅମୂଲ୍ୟ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ସଙ୍ଗିତାଙ୍କ ଏହି ଭିଡିଓ ଦେଖିବା ପରେ ୟୁଲିୟା ଭନ୍ତୁର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବଡ ପରଦାରୁ ଏବେ ଦୂରେଇ ରହିଥିବା ଏହି ନାୟିକା ଅତିତରେ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ମହମ୍ମଦ ଆଜାରୁଦ୍ଦିନଙ୍କ ସହ ସମ୍ପର୍କକୁ ନେଇ ଆସିଥିଲେ ଚର୍ଚ୍ଚାକୁ। ଏମାନେ ପରେ ବିବାହ କରିଥିଲେ ମଧ୍ୟ ବଲିଉଡ୍ ଓ କ୍ରିକେଟ ଜଗତର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଯୋର ଧରିଥିଲା। ଏହା ପୂର୍ବରୁ ନିନା ଗୁପ୍ତାଙ୍କ କ୍ରିକେଟ ଦୁନିଆ ସହ ସମ୍ପର୍କ ବେଶ ଚର୍ଚ୍ଚିତ ବିଷୟ ହୋଇଥିବା ବେଳେ ଏହାପରେ ସଙ୍ଗିତାଙ୍କ ପ୍ରେମ କାହାଣୀ ମଧ୍ୟ ଭଲ ଗସିପ୍ ସୃଷ୍ଟି କରିଥିଲା।