କେନ୍ଦୁଝର,୧୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳର ଆଭିମୁଖ୍ୟ, ପ୍ରଚାର ଓ ପ୍ରସାର ପାଇଁ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା ଆଜି ୩୩ଟି ସାଙ୍ଗଠନିକ ଜିଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ନିଯୁକ୍ତି କରିଛନ୍ତି। ସେହିପରି କେନ୍ଦୁଝର ଜିଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଭାବେ ମହିଳା କଂଗ୍ରେସ ନେତ୍ରୀ ତଥା ଆଇନଜୀବୀ ସଙ୍ଗୀତା ସିଂହଙ୍କୁ ନିଯୁକ୍ତି କରାଯାଇଛି। ସଙ୍ଗୀତା ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସଂସଦର ସଭାନେତ୍ରୀ, ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ଯୁଗ୍ମ ସମ୍ପାଦକ, ପୂର୍ବତନ ଜିଲା ମହିଳା କଂଗ୍ରେସର ସଭାନେତ୍ରୀ ଏବଂ ବର୍ତ୍ତମାନ ପିସିସି ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଏବଂ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ାଙ୍କୁ କୃତଜ୍ଞତା ଜଣାଇଛନ୍ତି।