Categories: ଖେଳ

ଗ୍ରାଣ୍ଡସ୍ଲାମରୁ ସାନିଆଙ୍କ ବିଦାୟ

ମେଲବୋର୍ନ,୨୮ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍‌ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନାଙ୍କ ସହିତ ଯୋଡି ହୋଇ ଖେଳୁଥିବା ସାନିଆ ଫାଇନାଲରେ ବ୍ରାଜିଲର ଲୁସିଆ ଷ୍ଟିଫାନି ଓ ରାଫେଲ ମାଟାଓସଙ୍କ ନିକଟରୁ ୬-୭(୨) ଓ ୨-୬ ସେଟରେ ପରାଜିତ ହୋଇଛନ୍ତି। ଶୁକ୍ରବାର ରଡ ଲାଭେର ଆରେନାରେ ଖେଳାଯାଇଥିବା ଫାଇନାଲରେ ଅଣସିଡେଡ୍‌ ସାନିଆ-ବୋପାନ୍ନା ଯୋଡି ପ୍ରଥମ ସେଟରେ କଡା ଟକ୍କର ଦେଇଥିଲେ। ଟାଇବ୍ରେକରରେ ସାନିଆ-ବୋପାନ୍ନା ପ୍ରଥମ ସେଟ୍‌ରେ ହାରିଥିବା ବେଳେ ଦ୍ୱିତୀୟ ସେଟକୁ ୨-୬ରେ ହାରି ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀରେ ଦୁବାଇ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟ ପରେ ଅବସର ନେବା ସମ୍ପର୍କରେ ସାନିଆ ଘୋଷଣା କରିଥିଲେ। ଏହା ସାନିଆଙ୍କ କ୍ୟାରିୟରର ଅନ୍ତିମ ଗ୍ରାଣ୍ଡସ୍ଲାମ ହୋଇଥିବା ବେଳେ ମିକ୍ସଡ ଡବଲ୍ସରେ ରନର୍ସ ଅପ୍‌ ହୋଇଛନ୍ତି। ମ୍ୟାଚ ପରବର୍ତ୍ତୀ ଭାଷଣ ସମୟରେ ସାନିଆ ବେଶ୍‌ ଭାବବିହ୍ବଳ ହୋଇ ପଡିଥିଲେ। ମେଲବୋର୍ନରୁ ମୁଁ କ୍ୟାରିୟର ଆରମ୍ଭ କରିଥିବା ବେଳେ ମୋର ଗ୍ରାଣ୍ଡସ୍ଲାମ କ୍ୟାରିୟର ଏଠାରେ ଶେଷ କରିବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ସାନିଆ କହିଥିଲେ। ଏହି ଟୁର୍ନାମେଣ୍ଟଟି ଏକାଧିକ କାରଣରୁ ମୋ ପାଇଁ ସ୍ବତନ୍ତ୍ର। ପ୍ରଥମତଃ ଅଷ୍ଟ୍ରେଲିଆନ ଓପନରୁ ମୋର ଗ୍ରାଣ୍ଡସ୍ଲାମ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ବୋପାନ୍ନା ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ତେଣୁ ଏଠାରେ ନିଜର ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ଅତ୍ୟନ୍ତ ଗର୍ବର ବିଷୟ। ୩୬ ବର୍ଷୀୟ ସାନିଆ ନିଜ ଟେନିସ୍‌ କ୍ୟାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୨୦୦୯ ଅଷ୍ଟ୍ରେଲିଆନ ଓପନ ଏବଂ ୨୦୧୨ ଫ୍ରେଞ୍ଚ ଓପନ ମହେଶ ଭୂପତିଙ୍କ ସହିତ ଜିତିଥିବା ବେଳେ ବ୍ରାଜିଲର ବ୍ରୁନୋ ସୋରେସଙ୍କ ସହିତ ୨୦୧୪ରେ ୟୁଏସ ଓପନ୍‌ ମିକ୍ସଡ ଡବଲ୍ସ ଟାଇଟଲ ବିଜୟୀ ହୋଇଥିଲେ। ସେହିପରି ମହିଳା ଡବଲ୍ସରେ ୨୦୧୫ ମସିହାରେ ୟୁଏସ୍‌ ଓପନ ଓ ଓ୍ବିମ୍ବେଲଡନ୍‌ ଚାମ୍ପିୟନ ହୋଇଥିବା ବେଳେ ୨୦୧୬ରେ ଅଷ୍ଟ୍ରେଲିଆନ୍‌ ଓପନରେ ଚାମ୍ପିୟନ ହୋଇଥିଲେ। ନିଜ ଭାଷଣ ସମୟରେ ସାନିଆ କାନ୍ଦି ପକାଇଥିଲେ। ୧୮ ବର୍ଷ ତଳେ ସେରେନା ଓ୍ବିଲିୟମ୍ସଙ୍କ ବିପକ୍ଷରେ ଏଠାରୁ ନିଜର ଗ୍ରାଣ୍ଡସ୍ଲାମ ଯାତ୍ରା ଆରମ୍ଭ କରିଥିଲି। ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଟୁର୍ନାମେଣ୍ଟ ମୋ ପାଇଁ ବେଶ୍‌ ଲକି ସାବ୍ୟସ୍ତ ହୋଇଛି ବୋଲି ସାନିଆ କହିଛନ୍ତି। ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ସାନିଆଙ୍କ ୪ ବର୍ଷର ପୁଅ ଇଝାନ ଓ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ଡବଲ୍ସ ପାର୍ଟନର କାରା ବ୍ଲାକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

Share