ପରିମଳ ବିପର୍ଯ୍ୟସ୍ତ, ପଡ଼ିରହିଛି ୬ ନୂଆ ଅଳିଆବୁହା ଗାଡ଼ି

ଗୁଣପୁର,୨୪।୩(ଡି. ଏନ.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦରେ ପରିମଳ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ସହରରେ ଏବେ ଜନସଂଖ୍ୟା ବଢିବା ସହିତ ଓ୍ବାର୍ଡ ସଂଖ୍ୟା ମଧ୍ୟ ବଢ଼ିଛି। ହେଲେ ସଫେଇ କାର୍ଯ୍ୟ ଠିକ ଭାବେ ହୋଇପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୫୦ ହଜାର ଲୋକ ବସବାସ କରୁଥିବା ଏହି ସହରରୁ ଅଳିଆ ନେବାକୁ ଗାଡ଼ି ଅଭାବ ରହିଛି। ମାତ୍ର ୨ଟି ଟାଟା ଏସ୍‌ସିଇ ଓ ଦୁଇଟି ଟ୍ରାକ୍ଟରରେ ଅଳିଆ ଯାଉଛି। ତେଣୁ ପ୍ରତ୍ୟେକ ସାହିର ଗଳିକନ୍ଦି ବୁଲି ଘରଗୁଡିକରୁ ଘରୁ ଅଳିଆ ନେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଅଳିଆ ସଂଗ୍ରହ ପାଇଁ ୫ଟି ବ୍ୟାଟେରୀଚାଳିତ ଗାଡି ରହିଥିଲେ ମଧ୍ୟ ସେ ସବୁ ଖରାପ ହୋଇ ପଡିରହିଛି। ତାହାକୁ ମରାମତି ଦିଗରେ ଦୃଷ୍ଟି ଦିଆଯାଉନାହିଁ। ପୌର ପରିଷଦରେ ଅଳିଆ ବୋଝେଇ ପାଇଁ ନୂଆ ୫ଟି ଟାଟା ଏସ୍‌ସିଇ, ଗୋଟିଏ ଭ୍ୟାନ ଓ ମଶାମାରିବା ଲାଗି ଗୋଟିଏ ଫଗିଂ ମେଶିନ ଲାଗିଥିବା ଗାଡି କ୍ରୟ ପାଇଁ ୭୫ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ କରିବା ପରେ ଭୁବନେଶ୍ବରର ବିଶାଲ ଟ୍ରେଡିଂ ନାମରେ ଏକ କମ୍ପାନୀ ପାଇଥିଲା। ଚୁକ୍ତି ପ୍ରକାରେ ଉକ୍ତ କମ୍ପାନୀ ଗାଡି ଗୁଡିକର ଅସ୍ଥାୟୀ ରେଜିଷ୍ଟ୍ରେଶନ କରି ପଠାଇଥିଲେ l ଏହା ମାସେରୁ ଅଧିକ ସମୟ ହେଲା ପଡିରହିଛି। ସ୍ଥାୟୀ ରେଜିଷ୍ଟ୍ରେଶନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଗାଡିଗୁଡିକ କାର୍ଯ୍ୟକ୍ଷମ ହୋଇ ପାରୁନାହିଁଷ ଅନ୍ୟପକ୍ଷେ ଉକ୍ତ କମ୍ପାନୀର ବକେୟା ଅର୍ଥ ପୈଠ ହେଉ ନ ଥିବା କାରଣରୁ ଗାଡି ଗୁଡାକର ସ୍ଥାୟୀ ରେଜିଷ୍ଟ୍ରେଶନ ହୋଇପାରୁନି କି କାମରେ ଲାଗି ପାରୁନି l ଏଥିସହ ଆସିବାକୁ ଥିବା ଅନ୍ୟ ଗାଡି ଗୁଡିକ ମଧ୍ୟ କମ୍ପାନୀ ଯୋଗାଉ ନାହିଁ। ପୌର କର୍ମଚାରୀମାନେ ସୀମିତ ବ୍ୟବସ୍ଥାରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ ନାକେଦମ ହେଉଛନ୍ତି। ହେଲେ ଅସ୍ଥାୟୀ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଏ ସବୁ ଦିଗରେ ଧ୍ୟାନ ଦେଉ ନ ଥିବା ବେଳେ ପୌରାଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ଗୌଡ ଏବଂ କାଉନସିଲମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।