ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ: ୨ ଭଉଣୀ ଗୁରୁତର

ଆଳି,୧୧ା୭(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୁଲିରେ ୨ ଭଉଣୀ ପୁରି ଛାଣୁଥିବା ବେଳେ ଚୁଲି ପାଖରେ ଥିବା ଏକ ସାନିଟାଇଜର ଡବାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଭଉଣୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଗୋବିନ୍ଦପୁର ଗ୍ରାମର ଗିରିଧାରୀ ମଳିକ ୨ ଝିଅ ଅଭିଲିପ୍ସା (୧୫), ସମୀକ୍ଷା (୧୦) ପୁରି ଖାଇବା ପାଇଁ ମନକରି ସକାଳ ୮ଟାରେ ଆରମ୍ଭ କରିଥିଲେ ପ୍ରସ୍ତୁତି। ୨ଭଉଣୀ ଚୁଲି ପାଖରେ ବସି ପୁରି ବେଲି ଛାଣୁଥିବା ବେଳେ ଚୁଲି ନିଆଁର ଉତ୍ତାପରେ ପାଖରେ ଥିବା ଏକ ବଡ଼ ସାନିଟାଇଜର ଡବାରେ ହଠାତ୍‌ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ୨ ଭାଉଣୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ୨ ଭଉଣୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ। କିନ୍ତୁ ନିଆଁର ପ୍ରକୋପ ଅଧିକ ଥିବାରୁ ଲିଭାଇବାକୁ ବିଳମ୍ବ ହୋଇଥିଲା। ଉଭୟଙ୍କୁ ନିକଟସ୍ଥ ଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ପରିବାର ନିକଟରୁ ଜଣାପଡ଼ିଛି।