Categories: ଜାତୀୟ

କରୋନା ଯୋଗୁ ୨ହଜାର ଟଙ୍କିଆ ଧୋଇ, ସାନିଟାଇଜ କରି ନଷ୍ଟ ହେଲା ୧୭ କୋଟି ନୋଟ

ନୂଆଦିଲ୍ଲୀ,୨୯।୮: କରୋନା ପାଇଁ ଅନେକ ଗୁଡିଏ ଜିନିଷ ନଷ୍ଟ ହୋଇଥିବା ଦେଖାଯାଇଛି। ଲୋକେ ବ୍ୟବସାୟ, ପରିବହନ, ରୋଜଗାର ସବୁଥିରେ କ୍ଷତି ସହିଛନ୍ତି। ଏମିତିକି କରୋନା ସଂକ୍ରମଣକୁ ଡରି ଲୋକେ ନୋଟକୁ ସାନିଟାଇଜ କରିବା ସହ କେହି କେହି ଏହାକୁ ଧୋଇ ମଧ୍ୟ ଦେଇଛନ୍ତି। ତେବେ ଯେଉଁ ନୋଟ ଗୁଡିକ ଧୋଇ ଖରାରେ ଶୁଖାଯାଇଛି ସେଭଳି ଅନେକ ନୋଟ ଖରାପ ହୋଇଯାଇଥିବା ସୂଚନା ମିଳିଛି। କାରଣ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ରେ ପହଞ୍ଚିଥିବା ଖରାପ ନୋଟର ସଂଖ୍ୟା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ବୋଲି କୁହାଯାଉଛି। ସବୁଠାରୁ ଅଧିକ ୨ହଜାର ଟଙ୍କିଆ ନୋଟ ଖରାପ ହୋଇଥିବା କୁହାଯାଉଛି। ଏଥର ଆର୍‌ବିଆଇ ନିକଟକୁ ୨ହଜାର ଟଙ୍କିଆ ୧୭ କୋଟିରୁ ଅଧିକ ନୋଟ ଆସିଥିବା ସୂଚନା ରହିଛି। ଏହା ବ୍ୟତୀତ ୨ଶହ, ୫ଶହ, ୨୦ ଓ ୧୦ ଟଙ୍କିଆ ନୋଟ ବି ବହୁ ପରିମାଣରେ ନଷ୍ଟ ହୋଇଛି। ଆର୍‌ବିଆଇ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୨ହଜାର ଟଙ୍କିଆର ୧୭ କୋଟି ନୋଟ ଖରାପ ହୋଇଛି ଯାହା ବିଗତ ବର୍ଷ ତୁଳନାରେ ୩୦୦ ଗୁଣା ଅଧିକ। କରୋନା ଭାଇରସ କିଛି ଘଣ୍ଟା ପାଇଁ ନୋଟ୍‌ରେ ରହୁଥିବା କୁହାଯିବା ପରେ ଲୋକେ ଏହାକୁ ଧୋଇବା ଓ ସାନିଟାଇଜ କରିବା ଆରମ୍ଭ କରି ଦେଇଥିଲେ। ଫଳରେ ପୁରୁଣା କଥା ଛାଡନ୍ତୁ ଏଥିରେ ନୂଆ ନୋଟ୍‌ ଗୁଡିକ ବି ନଷ୍ଟ ହୋଇଗଲା। ସୂଚନା ଅନୁଯାୟୀ, ଗତବର୍ଷ ୬ ଲକ୍ଷ ଖରାପ ୨ହଜାର ଟଙ୍କିଆ ନୋଟ ଆସିଥିବା ବେଳେ ଏଥର ଏହା ୧୭ କୋଟିରେ ପହଞ୍ଚିଛି। ସେହିପରି ୫ଶହ ଟଙ୍କିଆ ନାଟ୍‌ ୧୦ ଗୁଣା ଅଧିକ ନଷ୍ଟ ହୋଇଛି। ସେମିତି ୨ଶହ ଟଙ୍କିଆ ନୋଟ ବିଗତ ବର୍ଷ ତୁଳନାରେ ୩ଶହ ଗୁଣା ଅଧିକ ନଷ୍ଟ ହୋଇଛି।

Share