Categories: ଜାତୀୟ

ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସ କମିଶନର, ବୀରପ୍ପାନଙ୍କ ବିରୋଧରେ ଗ୍ରହଣ କରିଥିଲେ ଦୃଢ଼ ପଦକ୍ଷେପ…

ନୂଆଦିଲ୍ଲୀ, ୩୧।୭ : ସଞ୍ଜୟ ଆରୋରା ଦିଲ୍ଲୀର ନୂତନ ପୋଲିସ କମିଶନର ହେବେ। ସଞ୍ଜୟ ଆରୋରା ୧୯୮୮ ବ୍ୟାଚ ନାମିଲନାଡୁ କ୍ୟାଡରର ଆଇପିଏସ ଅଧିକାରୀ। ଏ ସମ୍ପର୍କରେ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ସଞ୍ଜୟ ପୂର୍ବରୁ ଆଇଟିବିପି ମୁଖ୍ୟ ଥିଲେ। ସେ ଦିଲ୍ଲୀରେ ବିଦାୟୀ କମିଶନର ରାକେଶ ଆସ୍ଥାନାଙ୍କ ସ୍ଥାନ ନେବେ।

ରାକେଶ ଆସ୍ଥାନା ଗତ ବର୍ଷ ଜୁଲାଇ ମାସରେ ଦିଲ୍ଲୀ ପୋଲିସର ମୁଖ୍ୟ ହୋଇଥିଲେ। ରାକେଶ ରବିବାର ଅର୍ଥାତ୍‌ ୩୧ ଜୁଲାଇରେ ତାଙ୍କ ପଦରୁ ଅବସର ନେଉଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଅଗଷ୍ଟ ୧ ରେ ସଞ୍ଜୟ ଆରୋରା ରାକେଶ ଆସ୍ଥାନାଙ୍କ ସ୍ଥାନ ନେବେ। ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସର ୨୫ ତମ କମିଶନର ହେବେ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯିବାର କିଛି ସମୟ ପୂର୍ବରୁ ଦିଲ୍ଲୀ ପୋଲିସ କର୍ମଚାରୀମାନେ ରାକେଶ ଆସ୍ଥାନାଙ୍କ ବିଦାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅପରାହ୍ନ ୪ ଟାରେ କିଙ୍ଗସୱେ କ୍ୟାମ୍ପ ପୋଲିସ ଲାଇନରେ ତାଙ୍କ ପାଇଁ ବିଦାୟ ପରେଡ ଅନୁଷ୍ଠିତ ହେବ। ବୈଦ୍ୟୁତିକ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା

ସଞ୍ଜୟ ଆରୋରା ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ କୋଏମ୍ବାଟୁର ସିଟି ପୋଲିସର କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପରେ ସେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭିଲୁପୁରମ ରେଞ୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସଞ୍ଜୟ ଆରୋରା ଆଇଜି (ସ୍ପେଶାଲ ଅପରେସନ୍ସ) ବିଏସଏଫ, ଆଇଜି ଛତିଶଗଡ ସେକ୍ଟର ସିଆରପିଏଫ୍‌ ଏବଂ ଆଇଜି ଅପରେସନ ସିଆରପିଏଫ୍‌ ଭାବରେ କାର୍ଯ୍ୟ କରିଛନ୍ତି।

ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାରରେ ସମ୍ମାନିତ ହୋଇଥିବା ସଞ୍ଜୟ ଆରୋରା, ତାମିଲନାଡୁରେ ଟାସ୍କ ଫୋର୍ସର ପୋଲିସ ଅଧୀକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ କୁଖ୍ୟାତ ଚନ୍ଦନ କାଠ ଚୋରା ଚାଲାଣକାରୀ ବୀରପ୍ପାନ ଗ୍ୟାଙ୍ଗ ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବୀରପ୍ପାନଙ୍କ ବିରୋଧରେ ସାହସିକ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ବୀରତା ପଦକ ପ୍ରଦାନ କରାଯାଇଥିଲା।

Share