ମୁମ୍ବାଇ ଡବାବାଲାଙ୍କ ପାଇଁ ଭଗବାନ ସାଜିଲେ ସଞ୍ଜୟ-ସୁନୀଲ

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି। ଗୋଟିଏ ପଟେ ଅଦୃଶ୍ୟ ମହାମାରୀ କରୋନା ସହ ଲଢିବାକୁ ପଡୁଥିବା ବେଳେ ଅନ୍ୟପଟେ ପେଟର ଭୋକ ମେଣ୍ଟାଇବାକୁ ମଧ୍ୟ ଦିନରାତି ଲଢି ଚାଲିଛନ୍ତି ଲୋକେ। ବିଶେଷ କରି ମୁମ୍ବାଇର ଜୀବନ କୁହାଯାଉଥିବା ଡବାବାଲା ଏବେ ସମ୍ପୂର୍ଣ୍ଣ ଭାବେ ରୋଜଗାର ଶୂନ୍ୟ। ଏହି ସମୟରେ ମାୟାନଗରୀର ବହୁ ସେଲିବ୍ରିଟି ଆବଶ୍ୟକ ଥିବା ଲୋକଙ୍କ ପାଇଁ ସହାୟତାର ହାତ ବଢାଇଥିବା ବେଳେ ମୁମ୍ବାଇ ଡବାବାଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟି। ନିକଟରେ ମନ୍ତ୍ରୀ ଅସଲମ ଶେଖ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଏମାନେ ମୁମ୍ବାଇ ଡବାବାଲା ଓ ତାଙ୍କ ପରିବାର ପାଇଁ ରାଶନ କିଟ୍‌ ଯୋଗାଇ ଦେଇଥିବା ଜଣାପଡିଛି। ଏଥିରେ ଚାଉଳ, ଡାଲି, ଚିନି, ଅଟା, ତେଲ ଆଦି ରହିଛି। ସୁନୀଲ କହିଛନ୍ତି ପ୍ରଥମେ ସଞ୍ଜୁ ଭାଇ ଓ ଅସଲମ ଭାଇ ଏହି କାମ ଆରମ୍ଭ କରିଥିବା ବେଳେ ମୁଁ କେବଳ ତାଙ୍କୁ ସହଯୋଗ କରିଛି।

Share