ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ସଞ୍ଜୟ: ସାକ୍ଷାତକାରକୁ ନେଇ ଉଠିଲା ପ୍ରଶ୍ନ

ଆବୁ ଧାବି,୧୭।୩: ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ପୂର୍ବ ଭଳି ଆଉ ସମ୍ପର୍କ ନାହିଁ। ୨ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ସେହିଦିନଠାରୁ ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବାରଣ କରାଯିବା ସହ ପାକିସ୍ତାନ କଳାକାରଙ୍କ ସହ କାମ କରିବାକୁ ଶକ୍ତ ମନା କରାଯାଇଛି। ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ବଲିଉଡ୍‌ର ଖଳନାୟକ ସଞ୍ଜୟ ଦତ୍ତ ଭେଟିଛନ୍ତି। ସଞ୍ଜୟ ଦତ୍ତଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ପରଭେଜ ମୁଶରଫଙ୍କୁ ଭେଟିଥିବା ଦେଖିବାକୁ ମିଳିଛି। ଦୁହିଁଙ୍କର ଏହି ସାକ୍ଷାତ ଦୁବାଇରେ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ଭାଇରାଲ ଫଟୋକୁ ଦେଖିବା ପରେ ସଞ୍ଜୟ ଓ ମୁଶରଫଙ୍କୁ ଜିମ୍‌ରେ ସାକ୍ଷାତକାର କରିଥିଲେ ବୋଲି ଅନେକ ବ୍ୟକ୍ତି କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ହଠାତ୍‌ ସାକ୍ଷାତକାର ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଶରଫ ଦୁବାଇରେ ବାସ କରୁଛନ୍ତି। ଉକ୍ତ ଫଟୋରେ ମୁଶରଫ ଏକ ହ୍ବିଲ୍‌ ଚେୟାରରେ ବସିଥିବା ବେଳେ ତାଙ୍କ ସଙ୍ଗେ ସଞ୍ଜୟ କଥା ହେଉଥିବାର ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ଅନେକ ଲୋକ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁଆରେଗ୍ୟ କାମନା କରିଛନ୍ତି। ଅନ୍ୟପଟେ ଏହି ସାକ୍ଷାତକାରକୁ ଅନେକ ଲୋକ ପସନ୍ଦ ମଧ୍ୟ କରିନାହାନ୍ତି। ସଞ୍ଜୟଙ୍କ ସହ ମୁଶରଫଙ୍କ ଏହି ସାକ୍ଷାତକାର ଉପରେ ଏବେ ପ୍ରଶ୍ନ ଉଠିଛି।

Share