ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ବାୟୋପିକ୍ ନିର୍ମାଣ କରିବେ ସଞ୍ଜୟ ଗୁପ୍ତା!

ମୁମ୍ବାଇ: ଫରଦିନ ଖାଁ ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ବିସ୍ଫୋଟ’ର କାମ ଶେଷ ହେବା ପରେ ଏବେ ସଞ୍ଜୟ ଗୁପ୍ତା ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ଏହା ହେଉଛି ମୁମ୍ବାଇର ଟୋପାଜ ବାରରେ ଭାରତର ସବୁଠାରୁ ନାଁ କରା ତଥା ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଟୋପାଜ ଏହାର ଟାଇଟଲ ରଖିବାକୁ ସ୍ଥିର କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେବେ ସମିତ କକ୍କଡ । ଆସନ୍ତା ବର୍ଷ ଏହା ଶେଷ ହେବ । ଏବେ ଫିଲ୍ମର କାଷ୍ଟିଂ ଚାଲିଥିବା ବେଳେ ଏହା ମୁମ୍ବାଇର ଆଖାପାଖ ସ୍ଥାନରେ ଶୁଟିଂ କରାଯିବ ।
ହ୍ୱାଇଟ ଫେଦର ଫିଲ୍ମସ୍ ଏହାର ନିର୍ମାଣ କରୁଛି । ସଞ୍ଜୟ ଗୁପ୍ତା କହିଛନ୍ତି ଏବେ ଏହି ଫିଲ୍ମ ନିର୍ମାଣ କରିବାର ଠିକ୍ ସମୟ ଆସିଛି । କରୋନା ମହାମାରୀ କାରଣରୁ ଆମେ ଅନେକ ସମୟ ହରାଇ ବସିଛୁ । ଅଧିକ କାମ ବି କରିପାରିନୁ, ହେଲେ ଏବେ ଆମେ ଆଉ ଅଟକିବୁ ନାହିଁ । ବିବାଦୀୟ ବାର ଡ୍ୟାନ୍ସରଙ୍କ ଜୀବନ ମୁମ୍ବାଇ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ । ଫିଲ୍ମକୁ ନେଇ ସଞ୍ଜୟ ଗୁପ୍ତା କହିଛନ୍ତି ସ୍ୱିଟିଙ୍କ ଜୀବନ କାହାଣୀ ମୁମ୍ବାଇ ଇତିହାସରେ ଏକ ସମ୍ମୋହକ ଅଧ୍ୟାୟ । ଏହା ଜୀବନଠାରୁ ବଡ, ବିବାଦସ୍ପଦ, ରଙ୍ଗିନ ଓ ରୋମାଞ୍ଚକର । ଏଥିପାଇଁ ମୁଁ ଏହି ବାୟୋପିକ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଛି ବୋଲି ସଞ୍ଜୟ କହିଛନ୍ତି । ଗତ ଦୁଇ ବର୍ଷ ହେଲା ଏହାକୁ ନେଇ ଯେଉଁ ପଟ୍ଟକଥା ପ୍ରସ୍ତୁତ କରାଯାଇଛି, ଏହାକୁ ଦେଖିଲେ ମୁଁ ଅନୁଭବ କରୁଛି ଦର୍ଶକ ଏହାକୁ ସେମାନଙ୍କ ସମୟର ଷ୍ଟୋରୀ ବୋଲି ଅନୁଭବ କରିବେ । ନିର୍ଦ୍ଦେଶକ ସମିତ କହିଛନ୍ତି, ମୋତେ ସ୍ୱିଟିଙ୍କ ନିକଟତର ହେବାକୁ ସୁଯୋଗ ମିଳିଥିଲା । ମୁଁ ତାଙ୍କୁ ବାରରେ ନାଚୁଥିବା ଦେଖିଛି, ତାଙ୍କ ପରଫରମାନ୍ସ ଆଗରେ ଲୋକେ ଦୁର୍ବଳ ହୋଇଯିବା ମୁଁ ଦେଖିଛି ।

Share