ଏକଦା ବିବାହ କରିବାକୁ କହିଥିଲେ ଦୀପିକା, ଏବେ ୫୭ ବର୍ଷରେ ବି ଅବିବାହିତ ଅଛନ୍ତି ଏହି ଲୋକପ୍ରିୟ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମନିର୍ମାତାଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭନଶାଲୀ ଅନ୍ୟତମ। ସେ ତାଙ୍କର ପ୍ରତିଟି ଫିଲ୍ମରେ ନିଆରା ଛାପ ଦେଇଥାନ୍ତି। ‘ହମ୍‌ ଦିଲ ଦେ ଚୁକେ ସନମ, ସାଓ୍ବରିୟା, ବାଜିରାଓ ମସ୍ତାନୀ, ପଦ୍ମାବତ’ ଭଳି ଫିଲ୍ମକୁ ଉଦାହରଣ ଭାବେ ନେଇପାରିବେ। ଫିଲ୍ମଜଗତ ପାଇଁ ଅବଦାନକୁ ନେଇ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

୧୯୬୩ ଫେବୃୟାରୀ ୨୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଭନଶାଲୀ। ଦକ୍ଷିଣ ମୁମ୍ବାଇର ଏକ ଗୁଜୁରାଟୀ ପରିବାରରେ ତାଙ୍କର ଜନ୍ମ। ସେ ନିଜ ନାମରେ ତାଙ୍କ ମା’ଙ୍କ ନାମ ‘ଲୀଲା’ ବ୍ୟବହାର କରିଥାନ୍ତି। ତାଙ୍କର ବାପା ଜଣେ ପ୍ରଯୋଜକ ଥିଲେ। ହେଲେ ଫିଲ୍ମରେ ସେ ସେତେଟା ସଫଳ ନ ଥିଲେ। ଫଳରେ ସେ କରଜରେ ବୁଡି ରହିଥିଲେ। ଏପରିକି ମଦ ପିଇବା ତାଙ୍କ ଅଭ୍ୟାସରେ ପରିଣତ ହୋଇଥିଲା। ପିଲାଟିଦିନୁ ଅଭାବ ଅନଟନରେ ବଢ଼ିଥିଲେ ଭନଶାଲୀ।

୧୯୮୯ରେ ଫିଲ୍ମ ‘ପରିନ୍ଦା’ରେ ସେ ସହନିର୍ଦ୍ଦେଶକ ଥିଲେ। ପରେ ୧୯୯୪ରେ ଫିଲ୍ମ ‘୧୯୪୨: ଏ ଲଭ୍‌ ଷ୍ଟୋରୀ’ର ସେ କାହାଣୀ ଲେଖିଥିଲେ। ୧୯୯୬ରେ ସେ ‘ଖାମୋଶୀ: ଦ ମ୍ୟୁଜିକାଲ’ର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଥିଲେ। ୧୯୯୯ରେ ତାଙ୍କର ଜୀବନ ବଦଳାଇଦେଇଥିଲା ଫିଲ୍ମ ‘ହମ୍‌ ଦିଲ ଦେ ଚୁକେ ସନମ୍‌’। ସଲମାନ ଖାନ୍‌, ଐଶ୍ୱର୍ଯ୍ୟା ଏବଂ ଅଜୟ ଦେବଗନ ଥିବା ଏହି ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଲେଖକ ଥିଲେ ଭନଶାଲୀ। ଫିଲ୍ମର ସଫଳତା ପରେ ସେ ଆଉ ପଛକୁ ଦେଖି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଥିବାରୁ ଆଜି ସେ ଜଣେ ପରିଚିତ ନାମ। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ଗଗୁଂବାଇ କାଠିୟାବାଡି’ ରିଲିଜ ହେବାକୁ ଯାଉଛି।

ଏବେ ଭନଶାଲୀଙ୍କୁ ୫୭ ବର୍ଷ। ବଲିଉଡ୍‌ର ଲୋକପ୍ରିୟ ତଥା ଧନୀ ନିର୍ମାତା ହେବା ସତ୍ତ୍ୱେ ଆଜି ବି ଅବିବାହିତ ସେ। ଏକଦା ବିଗ୍‌ ବସ୍‌ରେ ଦୀପିକା ପାଦ୍ୟୁକୋନ୍‌ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ।

Share