ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଓଲିଉଡ୍ରେ କାଷ୍ଟିଂ କାଉଚ୍ ଘଟଣାକୁ ନେଇ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ଶୁକ୍ରବାର ମୁହଁ ଖୋଲିଛନ୍ତି। କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିବା ପ୍ରକୃତି ମିଶ୍ରଙ୍କ ଉପରେ ସଞ୍ଜୟ ବର୍ଷିଛନ୍ତି। ଏଥିସହ କୋର୍ଟରେ ମାନହାନୀ ମାମଲା କରିବେ ବୋଲି ସେ ଚେଚାବନୀ ଦେଇଛନ୍ତି। ସଞ୍ଜୟ କହିଛନ୍ତି, ତାଙ୍କ ନାମରେ ଆସିଥିବା କାଷ୍ଟିଂ କାଉଚ୍ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। କେତେଜଣ ଅଭିନେତ୍ରୀ ଓ ପ୍ରଯୋଜକ ମିଶି ଆକ୍ରୋଶମୂଳକ ଭାବେ ମୋତେ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି। ତଥ୍ୟ ପ୍ରମାଣ ନ ଥାଇ ମିଥ୍ୟା ଅଭିଯୋଗ ଆଣିଥିବାରୁ ପ୍ରକୃତିଙ୍କ ସମେତ ୨ ଅଭିନେତ୍ରୀ ଏବଂ ଖବର ପ୍ରସାରଣ କରିଥିବା ଚ୍ୟାନେଲ ବିରୋଧରେ ମାନହାନୀ ମାମଲା କରିବେ ବୋଲି ସଞ୍ଜୟ ଚେତାବନୀ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ମୋ ବାପା ବସନ୍ତ ନାୟକ ବୋଲି ପ୍ରକୃତି ଜାଣିନାହାନ୍ତି। ବାପାଙ୍କ ଦେହାନ୍ତ ପରେ ମୁଁ ସିନେମା କରିନି ବୋଲି ଯଦି ପ୍ରକୃତି କହୁଛନ୍ତି, ତେବେ ସିନେମାରେ ସୁଯୋଗ ଦେବା ଆଳରେ କେତେବେଳେ କାଷ୍ଟିଂ କାଉଚ୍ ଓ ପ୍ରୋଜେକ୍ଟରୁ ବାହାର କରିଦେଲି ବୋଲି ସେ ପ୍ରଶ୍ନ କରିଛନ୍ତି। ବାବୁଶାନ-ପ୍ରକୃତିଙ୍କ ଘଟଣାକୁ ନେଇ ସେ ଦେଇଥିବା ମନ୍ତବ୍ୟ ପାଇଁ ପ୍ରକୃତି ତାଙ୍କୁ ଆକ୍ରୋଶମୂଳକ ଭାବେ ଟାର୍ଗେଟ କରିଥିବା ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତ ଝିଅଙ୍କୁ ସଞ୍ଜୟ ଶୋଷଣ କରିଥିବା ପ୍ରକୃତି ଗୁରୁବାର ଗଣମାଧ୍ୟମରେ କହିିଥିଲେ। ଏଥିସହ ପୀଡ଼ିତାମାନେ ଏନେଇ ତାଙ୍କୁ ମେସେଜ କରିଥିବା ନେଇ ସେ ସୂଚନା ଦେଇଥିଲେ। ଏପରିକି ତାଙ୍କ ସହ ଅତୀତରେ ଏକ ଦୁଃଖଦ ଘଟଣାବେଳେ ସଞ୍ଜୟ ‘ଭଲ ପୁଅଙ୍କୁ ଫସାଇବା ଝିଅଙ୍କ କାମ’ ବୋଲି ମନ୍ତବ୍ୟ ଦେଇଥିଲେ। ଯିଏ ତାଙ୍କ କଥାରେ ରାଜି ନ ହୁଏ ସେ ତାଙ୍କୁ କାମରୁ ବାହାର କରିଦିଅନ୍ତି ବୋଲି ପ୍ରକୃତି ଅଭିଯୋଗ କରିଥିଲେ।