ସଞ୍ଜ ନଇଁଲେ ଅଞ୍ଚଳବାସୀଙ୍କୁ ଦନ୍ତା ଭୟ: ଘର ଭିତରେ ଶୁଣ୍ଢ ପୂରାଇବା ଭିଡିଓ ଭାଇରାଲ

ସମ୍ବଲପୁର,୩୦ା୧(ବ୍ୟୁରୋ): ସମ୍ବଲପୁର ସଦର ରେଞ୍ଜ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ସଞ୍ଜ ନଇଁଲେ ଲୋକଙ୍କୁ ଦନ୍ତା ଭୟ ଘାରିଛି। ତେଣୁ ଯିଏ ଯୁଆଡେ ଯାଉଛନ୍ତି ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ବନ ବିଭାଗ ଓ ଗ୍ରାମବାସୀ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଦନ୍ତା ଗାଁ ମଧ୍ୟକୁ ଆସି ଘରଦ୍ୱାର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ଚାଲିଯାଉଛି। ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗ୍ରାମକୁ ଦନ୍ତା ପଶିଆସିଥିଲା। ହାତୀଟି ମୁଣ୍ଡେର ଗ୍ରାମର ଜଣେ ବୃଦ୍ଧାଙ୍କ ଘର ଓ ଏକ ଘରୋଇ କମ୍ପାନୀର ଅଫିସ ଝରକା ଭାଙ୍ଗି ଦେଇଥିଲା। ପରେ ଝରକା ପଟେ ଶୁଣ୍ଢ ପୂରାଇ ଖାଦ୍ୟ ଅନ୍ବେଷଣ କରୁଥିବା ଭିଡଓ ଏବେ ଭାଇରାଲ ହୋଇଛି। ଘର ମାଲିକ ଏହି ସମୟର ଭିଡିଓ ଉତ୍ତୋଳନ କରିଥିବାରୁ ତାଙ୍କ ସାହସିକତା ନେଇ ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ସଦର ରେଞ୍ଜର ଗୌରୀ ଦାସ କହିଛନ୍ତି, ଦନ୍ତାକୁ ଟ୍ରାକ କରିବା ପାଇଁ ହାତୀ ଟ୍ରେକର, ବନ କର୍ମଚାରୀ ମୋଟ ୨୨ ଜଣ ନିୟୋଜିତ ଅଛନ୍ତି। ହାତୀପଲରୁ ଦନ୍ତା ଅଲଗା ହୋଇ ଗାଁ ମୁହାଁ ହେଉଛି। ତା’ର ଗଧିବିଧିକୁ ଲକ୍ଷ୍ୟକରି ପୂର୍ବରୁ ଗ୍ରାମବାସୀଙ୍କୁ ସୂଚନା ଦିଆଯାଉଛି। ଖାଦ୍ୟ ମିଳିବା ଆଶାରେ ହାତୀଟି ଲୋକଙ୍କ ଘର ଭାଙ୍ଗି ଦେଉଛି। ଯେଉଁମାନଙ୍କର କ୍ଷତି ହେଉଛି ସେମାନଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯାଉଛି। ଏହି ଦନ୍ତାକୁ ଅଞ୍ଚଳର ଲୋକେ ଡନ୍‌ ନାମରେ ଡାକୁଛନ୍ତି।

Share