ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା

ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ ନେଇ ବିରୋଧି ପ୍ରଶ୍ନ କରିଛି । ଭାଜପା କହିଛି ନିର୍ବାଚନରେ ବିଜୟ ଲାଭ କରିବା ପରେ ସମସ୍ତଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ । ଇତିମଧ୍ୟରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଭାଜପା ଯଦି ଭୋଟ ନ ପାଇଲା ତେବେ କ’ଣ ଲୋକଙ୍କୁ କରୋନା ଟିକା ମିଳିବ ନାହିଁ । ସଞ୍ଜୟ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରିଛନ୍ତି ଏହା ସ୍ପଷ୍ଟ କରିବା ଦରକାର ଯେ କରୋନା ଟିକା କାହାକୁ ମିଳିବ । ଏହାସହ ସେ କହିଛନ୍ତି ପୂର୍ବରୁ ସ୍ଲୋଗାନ ଥିଲା ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି ହେଲେ ଏବେ ଏହା ପରିବର୍ତ୍ତନ ହୋଇ ଯାଇଛି । ଭାଜପା ନେତା କହୁଛନ୍ତି, ମୋତେ ଭୋଟ ଦିଅ ମୁଁ ତୁମକୁ କରୋନା ଟିକା ଦେବି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ କେବଳ ଭାଜପାକୁ ଭୋଟ ଦେବା ଲୋକଙ୍କୁ ହିଁ କରୋନା ଟିକା ମିଳିବ । ଯାହା ଭାଜପାର ଭେଦଭାବପୂର୍ଣ୍ଣ ବ୍ୟବହାରକୁ ସ୍ପଷ୍ଟ କରୁଛି । ଆଗରୁ ଆମେ ଜାତିଧର୍ମ ନାଁରେ ଦେଶକୁ ବିଭାଜିତ କରୁଥିଲେ ଏବେ କରୋନା ଭ୍ୟାକ୍ସିନକୁ ନେଇ ଭାଜପା ବିଭାଜନ ସୃଷ୍ଟି କରୁଛି । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ଯେଉଁ ଘୋଷଣା ପତ୍ର ଜାରି କରିଛି ସେଥିରେ କୁହାଯାଇଛି ବିହାରୀଙ୍କୁ ମାଗଣାରେ କରୋନା ଟିକା ମିଳିବ ।

Share