Categories: ଜାତୀୟ

ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ରବିବାର ପାର୍ଟି ମୁଖପତ୍ର ସାମ୍‌ନାରେ ପ୍ରକାଶିତ ତାଙ୍କ ସାପ୍ତାହିକ ସ୍ତମ୍ଭ ‘ରୋକଟୋକ’ରେ ରାଉତ କହିଛନ୍ତି ଯେ, ଏହି ଘଟଣା ଦେଶର ସାର୍ବଭୌମତ୍ୱ ଏବଂ ଅସ୍ତିତ୍ୱର ବିନାଶର ଯନ୍ତ୍ରଣାକୁ ସ୍ମରଣ କରାଉଛି। ଯଦି ନାଥୁରାମ ଗଡସେ ମହାତ୍ମା ଗାନ୍ଧୀଙ୍କ ବଦଳରେ ପାକିସ୍ତାନର ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ହତ୍ୟା କରିଥାନ୍ତେ, ତେବେ ବିଭାଜନକୁ ରୋକାଯାଇ ପାରିଥାନ୍ତା ଏବଂ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରିବାର କୌଣସି ଆବଶ୍ୟକତା ନ ଥାନ୍ତା। ଆଫଗାନିସ୍ତାନର ପରିସ୍ଥିତି ମୋତେ ଦେଶର ଅସ୍ତିତ୍ୱ ଏବଂ ସାବଭୌମତ୍ୱର ବିନାଶ ବିଷୟରେ ମନେ ପକାଇ ଦେଉଛି ବୋଲି ସେ କହିଛନ୍ତି।
ରାଉତ ଭାରତର ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହିତ ତୁଳନା କରି କହିଛନ୍ତି ଯେ, ଆଫଗାନିସ୍ତାନ ସୈନିକମାନେ ସେଠାରୁ ପଳାୟନ କରିଛନ୍ତି। ଅଲଗା ହୋଇଥିବା ଅଂଶକୁ ଫେରାଇ ନିଆ ନ ଗଲେ ବିଭାଜନର ଯନ୍ତ୍ରଣା ଭୁଲିପାରିବ ନାହିଁ। ଆମେ ବିଶ୍ୱାସ କରୁ ଯେ ଅଖଣ୍ଡ ଭାରତ ରହିବା ଉଚିତ, କିନ୍ତୁ ଏହା ସମ୍ଭବ ହେବ ନାହିଁ। କିନ୍ତୁ ସାରା ବିଶ୍ୱ ଆଶା ଉପରେ ବଞ୍ଚେ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖଣ୍ଡ ହିନ୍ଦୁସ୍ତାନ ଚାହୁଁଛନ୍ତି ତେବେ ତାଙ୍କୁ ସ୍ବାଗତ ବୋଲି ରାଉତ କହିଛନ୍ତି।

Share