Categories: ଜାତୀୟ

୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ଉପରେ ହେବ ରେଡ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମନି ଲଣ୍ଡରିଂ ମାମଲାରେ ଇଡି ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା। ଏହାର ଜବାବରେ ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଇଡି ବିରୋଧୀ ଦଳର ନେତାଙ୍କ ଉପରେ ଚଢାଉ ଜାରି ରଖିବ। ମହାରାଷ୍ଟ୍ରରେ ୧୦-୧୨ଜଣଙ୍କ ନାମର ଏକ ତାଲିକା ଅଛି। ଇଡି ନିକଟରେ ଅଜିତ ପାୱାରଙ୍କ ମାମଲା ଥିଲା, ଏକନାଥ ଶିନ୍ଦେଙ୍କ ବିରୋଧରେ ଇଡିର ମାମଲା ଥିଲା, ଅନେକ ନେତା ଜେଲ ଯିବାକୁ ଯାଉଥିଲେ, କ’ଣ ଇଡି ସେମାନଙ୍କ ପାଖକୁ ଯାଉଛି କି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।
ସଞ୍ଜୟ ରାଉତ କହିଛନ୍ତି, ବିରୋଧୀ ଦଳର ପ୍ରମୁଖ ନେତାଙ୍କ ଉପରେ ଚଢାଉ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ବିରୋଧୀ ଦଳରେ ଅଛନ୍ତି ସେମାନଙ୍କ ଉପରେ ଇଡି, ସିବିଆଇ, ଆଇଟି ଚଢାଉ ଜାରି ରହିବ।
ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ମଙ୍ଗଳବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ର ନିୟମ ଅନୁଯାୟୀ ଇଡି ଏହି ଚଢାଉ କରୁଛି ଏବଂ ପ୍ରାୟ ତିନୋଟି କୋଠରୀରେ ଖୋଜା ଚାଲିଛି।

Share