Categories: ଜାତୀୟ

ସଞ୍ଜୟ ରାଉତ ୨୨ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…

ମୁମ୍ବାଇ, ୮।୮ : ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ କୋର୍ଟ ତାଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। ନ୍ୟାୟିକ ହେପାଜତରେ ଔଷଧ ଏବଂ ଘର ତିଆରି ଖାଦ୍ୟ ଯୋଗାଇବାକୁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି। ବାସ୍ତବରେ ସଞ୍ଜୟ ରାଉତଙ୍କ ଆଇନଜୀବୀ କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ ଯେ ସଞ୍ଜୟଙ୍କର ସ୍ବାସ୍ଥ୍ୟ ଖରାପ ରହିଛି। ଏହା ଆଧାରରେ ଶିବସେନା ନେତାଙ୍କୁ ଘର ଖାଦ୍ୟ ଏବଂ ଔଷଧ ଦେବା ପାଇଁ ଅନୁମତି ମିଳିଛି।

ସଞ୍ଜୟ ରାଉତଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେବାକୁ କୋର୍ଟ ଆର୍ଥର ରୋଡ ଜେଲର ଅଧୀକ୍ଷକଙ୍କୁ କହିଛନ୍ତି ଯାହା ଦ୍ୱାରା ତାଙ୍କ ପାଇଁ ବ୍ୟବସ୍ଥା କରାଯିବ। ଅଦାଲତର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସଞ୍ଜୟ ରାଉତଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

 

ଗତ ଶୁଣାଣି ସମୟରେ ଇଡି ତାଙ୍କ ରିମାଣ୍ଡର ସମୟ ବଢ଼ାଇବା ପାଇଁ ଚେଷ୍ଟା କରିଥିଲେ। ଯାହା କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ ରିମାଣ୍ଡକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ମାମଲାର ଶୁଣାଣି ବେଳେ ବିଚାରପତି ସଞ୍ଜୟ ରାଉତଙ୍କୁ ପଚାରିଥିଲେ ଯେ ଆପଣଙ୍କର କୌଣସି ଅସୁବିଧା ଅଛି କି? ଏହା ଉପରେ ସେ କହିଥିଲେ ଯେ ଯେଉଁଠାରେ ତାଙ୍କୁ ରଖାଯାଇଥିଲା, ସେଠାରେ କୌଣସି ଭେଣ୍ଟିଲେଶନ ନାହିଁ। ଏହି ପ୍ରସଙ୍ଗରେ କୋର୍ଟ ପୋଲିସଠାରୁ ଜବାବ ମାଗିଥିଲେ।

ଉପାନ୍ତ ସହର ଗୋରେଗାଓଁରେ ପାତ୍ରା ଚାଲ ପୁନର୍ନିର୍ମାଣରେ ଆର୍ଥିକ ଅନିୟମିତତା ତଥା ତାଙ୍କ ସ୍ତ୍ରୀ ଏବଂ ସମ୍ପୃକ୍ତ ସହଯୋଗୀଙ୍କ ସମ୍ପତ୍ତିକୁ ନେଇ ଆର୍ଥିକ କାରବାର ଅଭିଯୋଗରେ ରାଉତଙ୍କୁ ମଧ୍ୟରାତ୍ରରେ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଥିଲା। ସୋମବାର ଇଡି ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟର ବିଚାରପତି ଏମ ଜି ଦେଶପାଣ୍ଡେଙ୍କ ସମ୍ମୁଖ୍‌ରେ ସଞ୍ଜୟଙ୍କୁ ହଜର କରାଯାଇଥିଲା। ଇଡ଼ି ଆଠ ଦିନର ହେପାଜତ ମାଗିଥିଲେ ମଧ୍ୟ କୋର୍ଟ ଶିବସେନା ନେତାଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ହେପାଜତକୁ ପଠାଇଥିଲେ।

Share