Categories: ଜାତୀୟ

ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ କରାଯାଇଛି ଗିରଫ: ଏଏପି

ନୂଆଦିଲ୍ଲୀ,୪।୧୦: ଏମ୍‌ପି ସଞ୍ଜୟ ସିଂଙ୍କ ଗିରଫ ପରେ ଆମ ଆଦମୀ ପାର୍ଟିର ପ୍ରଥମ ପ୍ରତିକ୍ରିୟା ଆସିଛି। ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଅତ୍ୟଧିକ ନକାରାତ୍ମକତା ଦେଖାଦେଇଛି। ଜନସାଧାରଣ ଭାଜପାକୁ ଶାସନ ଗାଦିକୁ ଫେରାଇ ଆଣିବାକୁ ପ୍ରସ୍ତୁତ ନୁହଁନ୍ତି।
ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ଗତ ଏକ ବର୍ଷ ଧରି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କେବଳ ଏଏପି ଦୁର୍ନୀତିର ଏକ ଟଙ୍କା ମଧ୍ୟ ପାଇବା ପାଇଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ତାହା ମିଳିପାରି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଞ୍ଜୟ ସିଂଙ୍କୁ ଭୟ କରୁଥିବାରୁ ଆଜି ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଛି। ଯିଏ ସ୍ବର ଉତ୍ତୋଳନ କରନ୍ତି ସେମାନଙ୍କୁ ଭାଜପା ଭୟ କରେ। ଗତକାଲି ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ଜଣାଶୁଣା ସାମ୍ବାଦିକମାନଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଥିଲା।

Share