Categories: ଜାତୀୟ

ଇମୋଶନାଲ୍‌ କାର୍ଡ ଖେଳିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୭।୭:ମଣିପୁର ହିଂସା ଘଟଣାରେ ସଂସଦରେ ହଟ୍ଟଗୋଳ ଜାରି ରହିଛି। ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି(ଏଏପି)ର ନିଲମ୍ବିତ ଏମ୍‌ପି ସଞ୍ଜୟ ସିଂ ଧାରଣାରେ ବସିଛନ୍ତି। ଏସବୁ ଭିତରେ ସେ ଏକ ଇମୋଶନାଲ୍‌ କାର୍ଡ ଖେଳିଛନ୍ତି। ତାଙ୍କୁ ଧାରଣାରେ ବସିଥିବାର ଦେଖି ସ୍ତ୍ରୀ, ମା’ ଏବଂ ପିତା ଭେଟିବା ପାଇଁ ସଂସଦ ବାହାରେ ପହଞ୍ଚିଥିଲେ। ବିଶେଷ କଥା ହେଉଛି ଏହି ସମୟରେ କଂଗ୍ରେସ ନେତା ତଥା ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶଶି ଥରୁର ମଧ୍ୟ ସେଠାରେ ପହଞ୍ଚିଥିଲେ। ସେ ସଞ୍ଜୟଙ୍କ ମା’-ପିତାଙ୍କୁ ଭେଟିଥିଲେ। ଏହି ଅବସରରେ ଥରୁର କହିଛନ୍ତି, ଆମେ ସଞ୍ଜୟଙ୍କ ସହିତ ଅଛୁ। ବାର୍ତ୍ତାଳାପ ସମୟରେ ସଞ୍ଜୟଙ୍କ ମା’ ଭାବପ୍ରବଣ ହୋଇଯାଇଥିଲେ।
ସଂସଦ ହାଉସ କମ୍ପ୍ଲେକ୍ସରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ ସଞ୍ଜୟ ସିଂ ମଣିପୁରରେ ଚାଲିଥିବା ହିଂସା ଏବଂ ଦିଲ୍ଲୀ ଅର୍ଡିନାନ୍ସ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ଦେଶର ଏକ ଅଂଶ ଜଳୁଛି। ମହିଳାମାନଙ୍କୁ ବଳାତ୍କାର କରାଯାଉଛି। ଛୋଟ ପିଲାମାନଙ୍କୁ ହତ୍ୟା କରାଯାଉଛି। ପ୍ରଧାନମନ୍ତ୍ରୀ କିଛି ସମ୍ବେଦନଶୀଳତା ଦେଖାଇବା ଉଚିତ୍‌। ଦେଶର ଲୋକମାନେ ଆପଣଙ୍କୁ ପ୍ରଶ୍ନ ପଚାରୁଛନ୍ତି।
ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ନିୟମ ଉଲ୍ଲଂଘନ ହେତୁ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଏହାର ପ୍ରତିବାଦରେ ସେ ‘ଇଣ୍ଡିଆ’ର ନେତାଙ୍କ ସହ ସଂସଦ ପରିସରରେ ଏକ ଧାରଣାରେ ବସିଛନ୍ତି।

Share