Categories: ଜାତୀୟ

ସଞ୍ଜୟଙ୍କ ହାତରେ ରହିଛି ବଡ଼ ଆଘାତ ଚିହ୍ନ, ସିବିଆଇ କହିଲା ହୋଇପାରେ…

କୋଲକାତା,୨୫।୮:କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଘଟଣାର ଦ୍ୱିତୀୟ ଦିନରେ କୋଲକାତା ପୋଲିସ ଗିରଫ କରିଥିଲା। କୋଲକାତା ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ ହାତରେ ଅଛି ଏବଂ ଏହା କ୍ରମାଗତ ଭାବେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହି ସଂପର୍କରେ ରବିବାର ଅଭିଯୁକ୍ତ ସଞ୍ଜୟଙ୍କ ପଲିଗ୍ରାଫି ପରୀକ୍ଷା କରାଯିବ। ତେବେ ପଲିଗ୍ରାଫି ପରୀକ୍ଷା ପୂର୍ବରୁ ଅଭିଯୁକ୍ତଙ୍କ ଶରୀରରେ ଆଘାତ ଚିହ୍ନ ଦେଖାଯାଇଛି। ଯାହାକୁ ନେଇ ସିବିଆଇ ସନ୍ଦେହ କରୁଛି।

ରିପୋର୍ଟ ଅନୁଯାୟୀ, ସିବିଆଇ ଅଧିକାରୀ କହିଛନ୍ତି ଯେ, ସଞ୍ଜୟ ରୟଙ୍କ ଉଭୟ ବାହୁରେ କଟ୍‌ କିମ୍ବା ଆଘାତ ଚିହ୍ନ ରହିଛି, ଯାହା ସୂଚିତ କରୁଛି ଯେ, ବଳାତ୍କାର ସମୟରେ ପୀଡ଼ିତାଙ୍କ ସହ ସଞ୍ଜୟଙ୍କ ସଂର୍ଘଷ ହୋଇଛି। ସିବିଆଇ କହିଛି, ଯେତେବେଳେ ସେମାନେ ଅଗଷ୍ଟ ୧୪ରେ ସଞ୍ଜୟଙ୍କୁ ଅଟକ ରଖିଥିଲେ, ସେତେବେଳେ ସେମାନେ ଅଭିଯୁକ୍ତଙ୍କ ବାମ ଓ ଡାହାଣ ହାତରେ କାନ୍ଧ ପର୍ଯ୍ୟନ୍ତ ଆଘାତ ଚିହ୍ନ ପାଇଥିଲେ।

ସିବିଆଇ ଅଧିକାରୀ କହିଛନ୍ତି, ସଞ୍ଜୟ କହିଛନ୍ତି ଯେ ସେ ନିଜେ ନିଜକୁ ଆଘାତ ଦେଇଛନ୍ତି। କିନ୍ତୁ ସେ ନିଜକୁ କାହିଁକି ଆଘାତ କରିଛନ୍ତି ସେ ସମ୍ପର୍କରେ ସେ ଉତ୍ତର ଦେଇ ପାରି ନ ଥିଲେ। ପୀଡିତାଙ୍କ ସହ ସଂଘର୍ଷ ସମୟରେ ଏହି ଆଘାତ ହୋଇବାର ଆମେ ସନ୍ଦେହ କରୁଛୁ।
ରୟଙ୍କୁ କଡ଼ା ସୁରକ୍ଷା ଅନ୍ତର୍ଗତ ୨୧ ନମ୍ବର ସେଲରେ ରଖାଯାଇଛି। ସେ ନିଜ ଏକ କୋଠରୀରେ ଏକୁଟିଆ ଅଛନ୍ତି। ସେଲ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି।

Share