Categories: ଜାତୀୟ

ମୁଖତାର ଅନସାରୀଙ୍କ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କୁ କୋର୍ଟ ପରିସରରେ ଗୁଳିକରି ହତ୍ୟା

ଲକ୍ଷ୍ମୌ,୭।୬:ପୁଣି ଥରେ ଥରି ଉଠିଛି ଉତ୍ତର ପ୍ରଦେଶ। ଗ୍ୟାଙ୍ଗଷ୍ଟରଙ୍କ ଖୋଲାଖୋଲି ରାଜ ଚାଲୁଥିବା ଉତ୍ତର ପ୍ରଦେଶରେ ଆଉ ଜଣେ ଗ୍ୟାଙ୍ଗଷ୍ଟାର୍‌ଙ୍କୁ ହତ୍ୟା କରାଯାଇଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏବଂ ରାଜନେତା ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୀବ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଲକ୍ଷ୍ମୌ କୋର୍ଟ ପରିସରରେ ଏଭଳି ହତ୍ୟାକାଣ୍ଡ ଘଟିଛି।

ସଞ୍ଜୀବ ହେଉଛନ୍ତି ଉତ୍ତର ପ୍ରଦେଶର  ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ଭାଜପା ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତି ଥିଲେ ସଞ୍ଜୀବ। ତେବେ ବୁଧବାର ତାଙ୍କୁ ଏକ ମାମଲାର ଶୁଣାଣି ପାଇଁ ଲକ୍ଷ୍ନୌ କୋର୍ଟ ନିଆଯାଇଥିଲା।  ଏହି ସମୟରେ ତାଙ୍କ ହତ୍ୟାକାରୀମାନେ ଓକିଲ ବେଶ ପରିଧାନ କରି କୋର୍ଟ ନିକଟକୁ ଆସିଥିଲେ। କୋର୍ଟ ପରିସରରେ ସେମାନେ ସଞ୍ଜୀବଙ୍କୁ ଗୁଳିମାଡ କରିଥିଲେ। ତେବେ ଘଟଣାସ୍ଥଳରେ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା। ଗୁଳି କରିବା ପରେ ଧରା ପଡିବା ଭୟରେ ହତ୍ୟାକାରୀମାନେ ଫେରାର୍‌ ହୋଇଯାଇଥିଲେ। ଏହି ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ଜୋନପୁରର ବାସିନ୍ଦା ବିଜୟ ଯାଦବ ନାମକ ଜଣେ ସୁଟରଙ୍କୁ ପୋଲିସ ଗିରଫ କରିଛି।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ହତ୍ୟା ହେଉଛି କି ନାହିଁ ତାହା ନୁହେଁ ବରଂ ପୋଲିସ ହେପାଜତରେ ହତ୍ୟା ଘଟୁଛି କି ବୋଲି ପ୍ରଶ୍ନ କରିଛନ୍ତି। ସରକାର  ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ନଜର ରଖୁ ନାହାନ୍ତିି। ୟୁପିରେ କାର୍ଯ୍ୟରତ ଡିଜିପିଙ୍କ ଉପସ୍ଥିତିକୁ ନେଇ ମଧ୍ୟ ସେ ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Share