ବିଜେଡି ଛାଡ଼ିଲେ ସଞ୍ଜୀବ

ଅନୁଗୋଳ ଅଫିସ,୪।୧୧: ଓଡ଼ିଶା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ଓ ଏକାଧିକଥର ମନ୍ତ୍ରୀ ପଦ ପାଇଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୀବ କୁମାର ସାହୁ ବୁଧବାର ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି। ଅନୁଗୋଳଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ିଥିବା ସାହୁ ଖବରଦାତାମାନଙ୍କୁ କହିଛନ୍ତି।
ଶିକ୍ଷକତାରୁ ରାଜନୀତିକୁ ଆସିଥିବା ସଞ୍ଜୀବ ୧୯୮୪-୮୫ରେ ପ୍ରଥମେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୩ରେ ବିଜେଡି ଟିକେଟ୍‌ରେ ସେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଉପନିର୍ବାଚନରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ବୀରମହାରାଜପୁରରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜୟୀ ହୋଇଥିଲେ। ମନ୍ତ୍ରୀ ଥିବାବେଳେ ୨୦୧୨ରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡ୍‌ନାଇଟ୍‌ ଅପରେଶନରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ୨୦୧୪ରେ ସେ ଆଠମଲ୍ଲିକରୁ ପୁନଃ ନିର୍ବାଚିତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରି ନ ଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଆଠମଲ୍ଲିକରୁ ଟିକେଟ୍‌ ଦେଇ ନ ଥିଲା। ବିଭିନ୍ନ ପଦପଦବୀରେ ଥଇଥାନ ନେଇ ସେ ଆଶାବାଦୀ ଥିଲେ ହେଁ ଦଳ ତାଙ୍କୁ ଅଣଦେଖା କରୁଥିଲା। ଜିଲାରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଉ ନ ଥିଲା। ଏପରି କି ଜିଲା କାର୍ଯ୍ୟକାରିଣୀ ବୈଠକକୁ ମଧ୍ୟ ଡକାଯାଉ ନ ଥିଲା। ଏହା ତାଙ୍କ ସ୍ବାଭିମାନରେ ଆଞ୍ଚ ଆଣିଥିଲା। ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ସେ ରାଜନୀତିରୁ ଅବସର ନେଇନାହାନ୍ତି। ପୂର୍ବପରି ଲୋକଙ୍କ ସେବା ଜାରି ରଖିବେ ବୋଲି ସଞ୍ଜୀବ କହିଛନ୍ତି। ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବାର ଯୋଜନା ରହିଛି କି ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି। ସମୟକୁ ଅପେକ୍ଷା କରିବାକୁ କହିବା ସହ ଯେଉଁ ଦଳରେ ଯୋଗଦେଲେ ମଧ୍ୟ କର୍ମୀଙ୍କ ସହଯୋଗ ରହିବ ଓ ପଞ୍ଚାୟତ ନିର୍ବାଚନରେ ତାଙ୍କ ସମର୍ଥକମାନେ ପ୍ରାର୍ଥୀ ହେବେ ବୋଲି ସଞ୍ଜୀବ ପ୍ରକାଶ କରିଛନ୍ତି।

Share