ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଆଶୁତୋଷ ଶର୍ମାଙ୍କ ଚମତ୍କାର ଇନିଂସ ବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଗୋଟିଏ ଉଇକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ଅଧିନାୟକ ପନ୍ତଙ୍କ ପାଇଁ ଆଇପିଏଲ୍ ୨୦୨୫ ଅଭିଯାନ ନିରାଶାରୁ ଆରମ୍ଭ ହୋଇଥିଲା। ପନ୍ତ ବ୍ୟାଟିଂରେ ବିଫଳ ହୋଇଥିଲେ। ଏପରିକି ମ୍ୟାଚ୍ର ଶେଷ ଓଭରର ଗୁୁରୁତ୍ୱପୂର୍ଣ୍ଣ ଷ୍ଟମ୍ପିଂ ହାତଛଡ଼ାକରିଥିଲେ। ଫଳରେ ଆଶୁତୋଷ ଜବରଦସ୍ତ ବ୍ୟାଟିଂ କରି ଦିଲ୍ଲୀକୁ ଜିତାଇଥିଲେ। ତେବେ ଏହି ପରାଜୟପରେ ପନ୍ତ ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର ଏବଂ ଦଳର ମାଲିକ ସଞ୍ଜିବ ଗୋଏଙ୍କାଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା। ଏହାକୁ ନେଇ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିନ୍ନ ଚର୍ଚ୍ଚା ଜୋର ଧରିଥିଲା।
୨୦୨୪ ଆଇପିଏଲ୍ ସମୟରେ ତତ୍କାଳିନ ଅଧିନାୟକ କେ ଏଲ୍ ରାହୁଲଙ୍କ ସହ ଗୋଏଙ୍କାଙ୍କ ବିବାଦ ପୁଣିଥରେ ଆଲୋଚନାକୁ ଆସିଥିଲା। ସମାନ ଢ଼ଙ୍ଗରେ ମାଲିକ ପନ୍ତଙ୍କ କ୍ଲାସ ନେଉଥିବା କୁହାଯାଇଥିଲା। ହେଲେ ଏସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୋଏଙ୍କା।
ସେ ନିଜ ସୋସିଆଲ ମିଡିଆରେ ପନ୍ତଙ୍କ ସହ ଆଲୋଚନା ସମୟର ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ମଇଦାନରେ ଉତ୍ସାହ, ମଇଦାନ ବାହାରେ ସୌହାର୍ଦ୍ଦ୍ୟ’। ପରବର୍ତ୍ତୀ ମ୍ୟାଚ୍ ଅପେକ୍ଷାରେ। ’ ଏବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ହେଉଥିବା ପନ୍ତଙ୍କ ସହ ପ୍ରବଳ ଯୁକ୍ତିତର୍କ ଗୁଜବକୁ ଖାରଜ କରିଦେଇଛି।
ମ୍ୟାଚ ବିଷୟରେ କହିଲେ, ମିଚେଲ ମାର୍ଶ ଏବଂ ନିକୋଲାସ ପୁରନଙ୍କ ବିସ୍ଫୋରକ ଇନିଂସ ବଳରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୯ ରନ କରିଥିଲା। ଏକାଥରେ ଦିଲ୍ଲୀ ୫ ଉଇକେଟ ହରାଇବା ପରେ ପରାଜୟ ନିଶ୍ଚିତ ବୋଲି ମନେ ହୋଇଥିଲା। ହେଲ ତା’ପରେ ଦଳକୁ ଆଶୁତୋଷଙ୍କ ସମର୍ଥନ ମିଳିଥିଲା ଏବଂ ସେ ଏକାକୀ ମ୍ୟାଚ୍ର ଗତି ବଦଳାଇ ଦେଇଥିଲେ। ଶେଷ ଓଭରରେ ଆଶୁତୋଷ ଏକ ଛକା ମାରି ଦିଲ୍ଲୀକୁ ବିଜେତା କରିଦେଇ ଦେଲେ। ସେ ତିନିଟି ବଲ ବାକି ଥାଇ ମ୍ୟାଚ୍ ଶେଷ କରିଥିଲେ।