ସାନଖେମୁଣ୍ଡି ବିଧାୟକଙ୍କ ଶକ୍ତି ପ୍ରଦର୍ଶନ, କହିଲେ ମୋଦି ସରକାର…

ଛତ୍ରପୁର, ୨୩ା୩ (ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପାର୍ଟି ପକ୍ଷରୁ ଶୁକ୍ରବାର ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ଗୋଲାପଲ୍ଲୀ ଗ୍ରାମର ଭଗବତୀ ମନ୍ଦିର ନିକଟରେ ଏକ କର୍ମୀ ସମ୍ମିଳନୀ ପୂର୍ବତନ ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହା ସହିତ ଗଣତନ୍ତ୍ରକୁ ହତ୍ୟା କରୁଥିବା ମୋଦି ସରକାରଙ୍କ ବିରୋଧରେ ମୁକାବିଲା କରିବାର ଏବେ ଦିନ ଆସିଛି। ଏ ପୁଞ୍ଜିପତିର ମୋଦି ସରକାର ଲୋକଙ୍କୁ ସମସ୍ତ ପ୍ରକାର ହଇରାଣ କରୁଛି। ଗ୍ୟାସ, ପେଟ୍ରୋଲ ଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ଦର ଦ୍ୱିଗୁଣିତ କରିଦେଲାଣି। ଗତକାଲି ଅନ୍ୟାୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲଙ୍କୁ ଗିରଫ କରିଛି। ଏ ସରକାରଙ୍କୁ ଆମେ କଡ଼ା ଜବାବ ଦେବା। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଏକ ଟାଣୁଆ ଓ ଯୁବ ବିଧାୟକ ପ୍ରାର୍ଥୀ ଦିଆଯିବ। ସେହି ପ୍ରାର୍ଥୀଙ୍କୁ କିପରି ବିଜୟୀ କରିବା ସେଥିପାଇଁ ସମସ୍ତେ ଆଜିଠାରୁ ସକଳ୍ପ ନେବା ବୋଲି କହିଥିଲେ। ମୁଁ ମୋର ଜୀବନ ଥିଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି ବିଧାୟକ ଜେନା କହିଥିଲେ। ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତ୍ରିଲୋଚନ ରେଡ୍ଡୀ କଂଗ୍ରେସ ଦଳ ପ୍ରତି ଲୋକଙ୍କ ଭଲ ପାଇବାକୁ ଉପସ୍ଥାପନା କରିଥିଲେ। ଇଜୁ ଆମିନ ଖାନ ସଂଯୋଜନା କରିଥିବା ବେଳେ ପୂର୍ବତନ ନଗର କଂଗ୍ରେସ ସଭାପତି ଜଲାଲ ଖାନ, ଯୁବ କଂଗ୍ରେସ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ରଞ୍ଜିତ ରଥ, ବିଶ୍ୱ ରଞ୍ଜନ ଦାସଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ମହିଳା, ପୁରୁଷ ଏବଂ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମନାଭ ମହାରଣା ଓ ଶିବରାମ ବେହେରା ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

Share