ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ଲୋକ ସଭା କ୍ଷେତ୍ରର ଗଞ୍ଜାମ ଜିଲାରେ ୫ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଥିରୁ ବ୍ରହ୍ମପୁର ଆସନରେ ଆଦୌ ପଞ୍ଚାୟତ ନ ଥିବା ବେଳେ ଛତ୍ରପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡିର ୭ ବ୍ଲକ ଅଧୀନ ୨୨ ଜିଲା ପରିଷଦ ଜୋନ୍ ଅଛି। ବିଜେଡି ଓ ଭାଜପା ପକ୍ଷରୁ ସମସ୍ତ ଜୋନରେ ପ୍ରାର୍ଥୀ ଦିଆଯାଇଥିବା ବେଳେ କଂଗ୍ରେସରୁ ୨୧ ଜୋନରେ ପ୍ରାର୍ଥୀମାନେ ସମିତି ସଭ୍ୟ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଦିଗପହଣ୍ଡି ବ୍ଲକର ୨୫ ନଂ ଜୋନ୍ରେ ସିପିଆଇକୁ କଂଗ୍ରେସ ସମର୍ଥନ କରି ପ୍ରାର୍ଥୀ ଦେଇ ନ ଥିଲା ଓ ଚିକିଟିର ଗୋଟିଏ ଜୋନ୍ ପାଇଁ ପ୍ରାର୍ଥୀ ମିଳି ନ ଥିଲା। ମତଦାନର ତୃତୀୟ ପର୍ଯ୍ୟାୟ ରବିବାର ସୁଦ୍ଧା ସମସ୍ତ ଜୋନରେ ଭୋଟ ଗ୍ରହଣ ହୋଇଛି।
ଚଳିତ ନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ସବୁଠି ବିଜେଡିକୁ ମୁକାବିଲା କରିଛି ଭାଜପା। ଶଙ୍ଖ-ପଦ୍ମ ଲଢ଼େଇରେ କଂଗ୍ରେସ ପଛରେ ଥିବା ଜଣାପଡ଼ିଛି। ୨୧ ଜୋନରୁ କେତୋଟି କଂଗ୍ରେସ ପାଇବ ସେ ନେଇ ଗଣତି ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଦୁଇ ବ୍ଲକ ଧରାକୋଟ ଓ ସାନଖେମୁଣ୍ଡିର ୭ ଜିଲା ପରିଷଦ ଜୋନରେ ମତଦାନ ସରିଛି। ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରକୁ ଶାସକ ବିଜେଡି ଫୋକସ କରିଛି। ତେଣୁ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ପରିଚାଳନା କରିଥିଲେ। କଂଗ୍ରେସ ଓ ବିଜେଡିର ଦୁଇ ଜେନାଙ୍କ ଘମାଘୋଟ ଲଢ଼େଇକୁ ଗ୍ରାମାଞ୍ଚଳ ଭୋଟର ତୀକ୍ଷ୍ଣ ନଜର ରଖିତ୍ଥଲେ।
ଧରାକୋଟର ୩ ଏବଂ ସାନଖେମୁଣ୍ଡିର ୪ ଜୋନରେ ଭୋଟ ଗ୍ରହଣ ସରିଥିବାରୁ କଂଗ୍ରେସ କେତୋଟିରେ ସଫଳତା ପାଇବ ସେନେଇ ଆଗୁଆ ଅଙ୍କକଷା ଆରମ୍ଭ ହୋଇଯାଇଛି। ସାନଖେମୁଣ୍ଡି ରାଜନୈତିକ ଚର୍ଚ୍ଚାକୁ ଆସିଛି।
ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଧରାକୋଟର ୩ ଏବଂ ସାନଖେମୁଣ୍ଡିର ୪ ଜୋନରୁ ୩ଟିରେ ବିଜେଡି ଜିତିଥିଲା। ଗୋଟିଏ ଜୋନ ଭାଜପା ଖାତାକୁ ଯାଇଥିଲା। ଗତ ନିର୍ବାଚନ ମଇଦାନରେ ରମେଶ ନ ଥିଲେ। ଏଥର ସକ୍ରିୟ ଅଛନ୍ତି। ୨୦୧୭ ନିର୍ବାଚନରୁ ଜିଲାରୁ ମାତ୍ର ଜଣେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ଏଥର କେତେ ତାହା ଚର୍ଚ୍ଚାକୁ ଆସିଛି। ଗତ ନିର୍ବାଚନରେ ବିଜେଡିରୁ ୬୪ ଜଣ ଜିଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ସମାନ ସ୍ଥିତି ରହିବ ବୋଲି ଜିଲା ବିଜେଡି ଆଶା ରଖିଛି। ସେହିପରି ଭାଜପା ଗତଥର ୪ ଜିଲା ପରିଷଦ ଜୋନ ପାଇଥିଲା। ଏଥର ବହୁ ଗୁଣ ବଢ଼ିବା ଭାଜପା କହୁଛି।