ନୂଆଦିଲ୍ଲୀ,୨୯।୮: ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସଂସ୍କୃତ ଭାଷାରେ ଫିଲୋସୋଫି ଏବଂ ମାନବତାର ବିକାଶ କରୁଥିବା ବହୁ ଗ୍ରନ୍ଥ ରହିଛି। ଏହାର ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇ ପାରିବ। ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଜାରି ରହିଛି। ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏନେଇ ଶିକ୍ଷାଦାନ କରାଯାଉଛି। ରୁଟଜର କୋର୍ଟନହୋରଷ୍ଟ୍ ଜଣେ ଖ୍ୟାତି ସମ୍ପନ୍ନ ସଂସ୍କୃତ ଭାଷାବିତ୍। ସେ ଅୟାରଲାଣ୍ଡର ବାସିନ୍ଦା। ସେ ନିଜ ଦେଶରେ ପିଲାମାନଙ୍କୁ ସଂସ୍କୃତ ଭାଷା ପଢ଼ାଉଛନ୍ତି। ଥାଇଲାଣ୍ଡରେ ମଧ୍ୟ ସଂସ୍କୃତ ଭାଷାର ବିକାଶ ପାଇଁ ସ୍ଥାନୀୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏନେଇ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଡ.ଚିରାପତ୍ ପ୍ରପାଣ୍ଡବିଦ୍ୟା ତଥା ଡ. କୁସୁମା ରକ୍ଷାମଣି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଫେସର ବୋରିସ୍ ଜଖାରିନ୍ ରୁଷିଆର ମସ୍କୋ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷା ପଢ଼ାଉଛନ୍ତି। ଅଷ୍ଟ୍ରେଲିଆର ସିଡ୍ନୀରେ ସଂସ୍କୃତ ସ୍କୁଲ ସ୍ଥାପନ କରାଯାଇଛି। ଏଠାରେ ପିଲାମାନଙ୍କ ସଂସ୍କୃତ ବ୍ୟାକରଣ ଏବଂ ଭାଷା ସମ୍ପର୍କରେ ଶିକ୍ଷାଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।