ଇଂରାଜୀ ମାଧ୍ୟମ ସ୍କୁଲରେ ସଂସ୍କୃତ ପ୍ରାର୍ଥନା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିକାଶ ଫାଷ୍ଟଷ୍ଟେପ୍‌ରେ ସପ୍ତାହର ଗୋଟିଏ ଦିନ ଛାତ୍ରୀଛାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଭାଷାରେ ଉପସ୍ଥାପନ କରିଥାନ୍ତି। ସେହିଦିନ ପ୍ରାର୍ଥନା ସମେତ ଖବର ପଠନ, ବକ୍ତୃତା, ସାଧାରଣଜ୍ଞାନ ପ୍ରଶ୍ନୋତ୍ତର, ବିଜ୍ଞାନ ଆଧାରିତ ତଥ୍ୟ, କ୍ଷୁଦ୍ର ନାଟିକା, ଜନ୍ମଦିନର ଶୁଭେଚ୍ଛା ଆଧାରିତ ସଙ୍ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଆଦି ସଂସ୍କୃତ ଭାଷାରେ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂସ୍କୃତ ଦିବସ ପାଳନ ଅବସରରେ ଉକ୍ତ ଶିକ୍ଷାନୁଷ୍ଠାନରେ ଆୟୋଜିତ ପ୍ରାର୍ଥନା ସଭାରେ ରାଜ୍ୟ ସଂସ୍କୃତ ଶିକ୍ଷକ ମହାସଂଘର ଯୁଗ୍ମ ସମ୍ପାଦକ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଅତିଥି ଭାବେ ଯୋଗଦାନ କରିଥିଲେ। ଛାତ୍ରୀଛାତ୍ରଙ୍କ ସଂସ୍କୃତ ଭାଷା, ବ୍ୟାକରଣ ଜ୍ଞାନରେ ସେ ମନ୍ତ୍ରମୁଗ୍ଧ ହେବା ସହିତ ସଂସ୍କୃତ ଭାଷାରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଂସ୍କୃତ ଭାଷା ସମସ୍ତ ଭାଷାର ଜନନୀ ବୋଲି ସେ କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପଲତା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ନିରଞ୍ଜନ ମହାପାତ୍ର, ଶିକ୍ଷୟିତ୍ରୀ ପଦ୍ମାଳୟା ପ୍ରଧାନ ସଂଯୋଜନା କରିଥିଲେ।

Share