ବରଗଡ଼ର ୨ ବାନ୍ଧଶିଳ୍ପୀଙ୍କୁ ସନ୍ଥ କବୀର ହ୍ୟାଣ୍ଡଲୁମ୍‌ ଆୱାର୍ଡ

ବରଗଡ଼଼,୩୦।୭(ପ୍ରେମାନନ୍ଦ ଖମାରୀ):ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଦ୍ୱାରା ବରଗଡ଼ ଜିଲାର ୨ବାନ୍ଧଶିଳ୍ପୀ(ବୁଣାକାର) ସନ୍ଥ କବୀର ହ୍ୟାଣ୍ଡଲୁମ୍‌ ଆୱାର୍ଡ-୨୦୨୩ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବରଗଡ଼ ବାନ୍ଦୁଟିକ୍ରା ନିବାସୀ ରାମକୃଷ୍ଣ ମେହେର ଏବଂ ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମର ହରିଲାଲ ମେହେର। ରାମକୃଷ୍ଣ ତାଙ୍କ ଦ୍ୱାରା ପ୍ରସ୍ତୁତ ରାଷ୍ଟ୍ରୀୟ ଏକତା ଶାଢ଼ି ଏବଂ ହରିଲାଲ ତାଙ୍କ ଦ୍ୱାରା ପ୍ରସ୍ତୁତ ସଚିପାର୍‌ ଦଶଫୁଲିଆ ଶାଢ଼ି ପାଇଁ ଏହି ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଅଗଷ୍ଟ ୭ ତାରିଖ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି। ରାମକୃଷ୍ଣ ଏହା ପୂର୍ବରୁ ୨୦୧୪ରେ ଷ୍ଟେଟ୍‌ ଆୱାର୍ଡ, ୨୦୧୫ରେ ନ୍ୟାଶନାଲ ଆୱାର୍ଡ, ୨୦୧୬ରେ ରାଷ୍ଟ୍ରୀୟ ଗୌରବ ଆୱାର୍ଡ, ୨୦୧୮ରେ ୱାଲର୍‌ଡ କ୍ରାଫ୍ଟ କାଉନସିଲ ଆୱାର୍ଡ ସମେତ ବିଭିନ୍ନ ପୁରସ୍କାର ପାଇବା ସହ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ସେହିପରି ହରିଲାଲ ପୂର୍ବରୁ ୧୯୮୮ରେ ଷ୍ଟେଟ ଆୱାର୍ଡ, ନ୍ୟାଶନାଲ ଆୱାର୍ଡ, କଳାଶ୍ରୀ ଆୱାର୍ଡ ଏବଂ ବୁଣାକାର ସମ୍ମାନ ମଧ୍ୟ ପାଇଛନ୍ତି।

Share