Categories: ଜାତୀୟ

ନିର୍ବାଚନ ସମୟରେ କାହିଁକି ମନେ ପଡିଲେ ସନ୍ଥ ରବିଦାସ

ଚଣ୍ଡିଗଡ଼,୧୭ ।୨: ସନ୍ଥ ରବିବାସଙ୍କ ଜୟନ୍ତି ପ୍ରତିବର୍ଷ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ରବିଦାସଙ୍କ ଜୟନ୍ତି ଚର୍ଚ୍ଚାକୁ ଆସିଛି । କାରଣ ଚଳିତ ଥରର ନିର୍ବାଚନ ଦଳିତଙ୍କ ହାତରେ ରହିଛି । ଏସବୁ ରାଜ୍ୟରେ ଦଳିତଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ ଥିବା ବେଳେ ରବିଦାସଙ୍କୁ ମାନୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।
ସେଥିପାଇଁ ଯେତେବେଳେ ନିର୍ବାଚନ ସମୟରେ ସନ୍ଥ ରବିଦାସଙ୍କ ଜୟନ୍ତି ଆସିଲା ସେତେବେଳେ କୌଣସି ରାଜନୈତିକ ଦଳ ଏହାକୁ ହାତଛଡା କଲେ ନାହିଁ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଏହା ଆରମ୍ଭ ହେଲା । ଦିଲ୍ଲୀରେ ସକାଳୁ ସକାଳୁ ମୋଦି ରବିଦାସ ଧାମ ପହଞ୍ଚି ସନ୍ଥ ରବିଦାସଙ୍କୁ ଦର୍ଶନ କରିବା ସହ ସେଠାରେ ଏକ ମୂର୍ତ୍ତି ଭେଟି ଦେଇଥିଲେ । ସେଠାରେ ଆୟୋଜିତ ହୋଇଥିବା ଭଜନ କିର୍ତ୍ତନରେ ବି ମୋଦି ସାମିଲ ହୋଇଥିଲେ । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ, ଅରବିନ୍ଦ କେଜରିୱାଲ ବି ସନ୍ଥ ରବିଦାସଙ୍କ ଜୟନ୍ତିରେ ମନ୍ଦିର ପହଞ୍ଚିଥିଲେ । ସୂଚନାଯୋଗ୍ୟ, ପଞ୍ଜାବରେ ୧୪ ଫେବୃୟାରୀରେ ବିଧାନସଭା ନିର୍ବାଚନ ହେବାକୁ ଥିଲା । ହେଲେ ୧୬ ତାରିଖରେ ସନ୍ଥ ରବିଦାସଙ୍କ ଜୟନ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅନୁରୋଧ କ୍ରମେ ଏହି ନିର୍ବାଚନକୁ ୨୦ ଫେବୃୟାରୀକୁ ଘୁଞ୍ଚାଇ ଦିଆଯାଇଛି ।

Share