Categories: ଖେଳ

ସନ୍ତୋଷ ଟ୍ରଫି ଫୁଟ୍‌ବଲ: ମଣିପୁରର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୬।୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ମଣିପୁର ୪-୧ ଗୋଲରେ ପଶ୍ଚିମବଙ୍ଗକୁ ହରାଇଥିବାବେଳେ ସର୍ଭିସେସ-ଦିଲ୍ଲୀ ମ୍ୟାଚ ୧-୧ ଓ ରେଲଓ୍ବେ-ମେଘାଳୟ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ପ୍ରଭାବୀ ରହିଥିଲା ମଣିପୁର। ୧୧ତମ ମିନିଟରେ ପଙ୍ଗାମବାମ ନାଓବା ମେଇତେଇ ଗୋଲ ଦେଇ ମଣିପୁରକୁ ଅଗ୍ରଣୀ କରିଥିବାବେଳେ ୩୭ତମ ମିନିଟରେ ଏହାକୁ ୨-୦ରେ ପରିଣତ କରିଥିଲେ ଅଧିନାୟକ ସିଙ୍ଗମ ସୁବାସ ସିଂ। ୫୪ତମ ମିନିଟରେ ପଶ୍ଚିମବଙ୍ଗର ବଦଳ ଖେଳାଳି ସୌଭିକ କର ଗୋଟିଏ ଗୋଲ ପରିଶୋଧ କରିବାରୁ ମ୍ୟାଚ ରୋମାଞ୍ଚକ ହୋଇଥିଲା। ମାତ୍ର ୮୧ତମ ମିନିଟରେ ପଶ୍ଚିମବଙ୍ଗର ବିଶ୍ୱଜିତ ହେମ୍ବ୍ରମଙ୍କ ଆତ୍ମଘାତୀ ଗୋଲ ମଣିପୁରକୁ ଫାଇଦାରେ ରଖିଥିଲା।

ଇଞ୍ଜୁରି ଟାଇମ୍‌ ୯୦+୪ ମିନିଟରେ ମଣିପୁର ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ ନାଗାଙ୍ଗବାମ ନାଓଚା ସିଂ। ଟୁର୍ନାମେଣ୍ଟରେ ୩ ମ୍ୟାଚରୁ ଏହାଥିଲା ମଣିପୁରର ଦ୍ୱିତୀୟ ବିଜୟ। ଫଳରେ ଦଳ ୬ ପଏଣ୍ଟରେ ପହଞ୍ଚତ୍ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି। ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ଏକ ମ୍ୟାଚରେ ଦିଲ୍ଲୀ ସହିତ ପଏଣ୍ଟ ଭାଗ କରିଥିଲା ସର୍ଭିସେସ। ଏଥିରେ ଦିଲ୍ଲୀ ପକ୍ଷରୁ କେହି ଗୋଲ ସ୍କୋର କରିପାରି ନ ଥିଲେ। ସର୍ଭିସେସର ପି. ଖ୍ରିଷ୍ଟୋଫର କାମେଇ ୨୧ତମ ମିନିଟରେ ପେନାଲ୍ଟିରୁ ଏକ ଗୋଲ ଦେଇ ଦଳକୁ ଆଗୁଆ କରାଇଥିଲେ। ୯୦ ମିନିଟ ପର୍ଯ୍ୟନ୍ତ ଅଗ୍ରଣୀ ରହି ଦଳ ବିଜୟ ଦ୍ୱାରରେ ପହଞ୍ଚତ୍ ଯାଇଥିଲା। ମାତ୍ର ଇଞ୍ଜୁରି ଟାଇମ୍‌ ୯୦+୩ ମିନିଟରେ ବଲ୍‌ ପାଇଁ ସଂଘର୍ଷ ସମୟରେ ସର୍ଭିସେସ ଡିଫେଣ୍ଡର ସଫିଲ ପି.ପି.ଙ୍କ ଆତ୍ମଘାତୀ ଗୋଲ ଯୋଗୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ଫଳରେ ଦିଲ୍ଲୀ ଗୋଟିଏ ପଏଣ୍ଟ ପାଇ ଯାଇଥିଲା। ଏହି ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ରେଲଓ୍ବେ କିମ୍ବା ମେଘାଳୟ ଦଳ କେହି ଗୋଲ ଦେଇ ପାରି ନ ଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ପାଇଥିଲେ।

 

Share