Categories: ଖେଳ

ଭୁବନେଶ୍ୱରରେ ସନ୍ତୋଷ ଟ୍ରଫି

ନୂଆଦିଲ୍ଲୀ, ୨୬।୧୧ (ପି.ଟି.): ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ୭୬ତମ ସଂସ୍କରଣ ଡିସେମ୍ବର ୨୩ରୁ ଆରମ୍ଭ ହେବ। ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଏଥର ୩ ଭେନ୍ୟୁ ଭୁବନେଶ୍ୱର, ଦିଲ୍ଲୀ ଏବଂ କୋଝିକୋଡେରେ ମ୍ୟାଚ ଗୁଡ଼ିକ କରାଇବାକୁ ନିଷ୍ପତ୍ତି ନେଇଛି। ଗ୍ରୁପ୍‌-୫ର ମ୍ୟାଚ ଗୁଡ଼ିକ ଭୁବନେଶ୍ୱରରେ ଡିସେମ୍ବର ୨୪ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଖେଳାଯିବ। ଏହି ଗ୍ରୁପ୍‌ରେ ଓଡ଼ିଶା ସମେତ ମେଘାଳୟ, ସିକିମ, ତେଲେଙ୍ଗାନା ପଣ୍ଡିଚେରୀ ଓ ଆଣ୍ଡାମାନ ଆଣ୍ଡ ନିକୋବର ରହିଛି। ଗ୍ରୁପ୍‌-୧ ମ୍ୟାଚ ଦିଲ୍ଲୀରେ ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ହେବ। ଏଠାରେ କର୍ନାଟକ, ଦିଲ୍ଲୀ, ଗୁଜରାଟ, ଉତ୍ତରାଖଣ୍ଡ, ତ୍ରିପୁରା ଓ ଲଦାଖ ମ୍ୟାଚ ଖେଳିବେ। ଡିସେମ୍ବର ୨୬ରୁ ଜାନୁୟାରୀ ୮ ପର୍ଯ୍ୟନ୍ତ କୋଝିକୋଡେରେ ଗ୍ରୁପ୍‌-୨ର ମ୍ୟାଚ ଗୁଡ଼ିକ କେରଳ, ମିଜୋରାମ, ରାଜସ୍ଥାନ, ବିହାର, ଆନ୍ଧ୍ର ପ୍ରଦେଶ ଓ ଜମ୍ମୁ-କଶ୍ମୀର ମଧ୍ୟରେ ଖେଳାଯିବ। ଗ୍ରୁପ୍‌ ୩, ୪ ଓ ୬ କମ୍ପୋଜିଶନ ପରେ ଘୋଷଣା ହେବ। ୩୬ଟି ରାଜ୍ୟ ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ର ଟପ୍ପର ଏବଂ ପରବର୍ତ୍ତୀ ଶ୍ରେଷ୍ଠ ୩ଟି ଦ୍ୱିତୀୟ ସ୍ଥାନୀୟ ଦଳ ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଆୟୋଜକ ଦଳ ସହ ରେଲଓ୍ବେ ଓ ସର୍ଭିସେସ ସିଧାସଳଖ ଏଣ୍ଟ୍ରି ପାଇବେ।

 

 

Share