ନୂଆଦିଲ୍ଲୀ,୧୦ ।୨: କୃଷକ ସଙ୍ଗଠନ ‘ମିଳିତ କୃଷକ ମୋର୍ଚ୍ଚା’ ଗୁରୁବାର ଏକ ବୈଠକ କରିଛି । ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଛି । ମିଳିତ କୃଷକ ମୋର୍ଚ୍ଚା କହିଛି, ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ଆଇନ ଗ୍ୟାରେଣ୍ଟି ଦାବି କରି ୨୦ ମାର୍ଚ୍ଚରେ ପାର୍ଲାମେଣ୍ଟ ବାହାରେ ‘କୃଷକ ମହାପଞ୍ଚାୟତ’ ଆୟୋଜନ କରିବ । କିଛି କୃଷକ ସଙ୍ଗଠନ ଯୁଦ୍ଧବୀର ସିଂହ, ରାଜା ରାମ ସିଂହ ଓ ଡା, ସୁନିଲଙ୍କ ନେତୃତ୍ୱରେ ଏକ ବୈଠକରେ ସାମିଲ ହୋଇ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ ।
କୃଷକ ଆଇନ ବିରୋଧରେ ପ୍ରଦର୍ଶନର ନେତୃତ୍ୱ କରୁଥିବା କୃଷକ ସଙ୍ଗଠନ ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ଆଇନର ଗ୍ୟାରେଣ୍ଟି ଦେବାକୁ ଦାବି କରି ଆସୁଛି । ସଂଯୁକ୍ତ କୃଷକ ମୋର୍ଚ୍ଚାର ବୈଠକରେ ସାଧାରଣ ବଜେଟର ଆଲୋଚନା କରି ଏହାକୁ ‘କୃଷକ ବିରୋଧି’ କୁହାଯାଇଛି । ଏହାସହ ସଙ୍ଗଠନ କେନ୍ଦ୍ର ସରକାରଙ୍କ ଉପରେ ଆହୁରି କିଛି ଅଭିଯୋଗ ଆଣିଛି ।