ସପ୍ତପୁରୀ ଅମାବାସ୍ୟା: କୁମ୍ଭାର ସାହିରୁ ଆସିଲା ତାଡ଼

ପୁରୁଣା ଭୁବନେଶ୍ୱର,୨୬।୮(ଡି.ଏନ୍‌.ଏ.):ଆସନ୍ତା ଶନିବାର ସପ୍ତପୁରୀ ଅମାବାସ୍ୟା। ଏହି ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ସପ୍ତପୁରୀ ପିଠା ଲାଗିହେବ। ଏହା ପ୍ରତ୍ୟେକ ଧୂପ ଏବଂ ବେଢା ଭିତରେ ଥିବା ସମସ୍ତ ଠାକୁରଙ୍କ ପାଖରେ ଭୋଗ କରାଯିବ। ଏଣୁ ଗୁରୁବାର ସନ୍ଧ୍ୟାରୁ ପରମ୍ପରା ଅନୁଯାୟୀ କପିଳେଶ୍ୱର ଗ୍ରାମ କୁମ୍ଭାର ସାହିରୁ ମେଘ ଡମ୍ବରୁ ଏବଂ ଘଣ୍ଟ ଶୋଭାଯାତ୍ରାରେ ମନ୍ଦିରକୁ ତାଡ଼ ଆସିଥିଲା। କୁମ୍ଭାର ସେବାୟତମାନେ ନୂତନ ବସ୍ତ୍ର ପରିଧାନ କରି ଏହି ତାଡ଼କୁ ମନ୍ଦିରକୁ ଆଣିଥିଲେ। ସୂଚନାଥାଉକି, ଗୁରୁବାର ଚତୁର୍ଦ୍ଦଶୀ ଅବସରରେ ମା’ ପାର୍ବତୀ ଠାକୁରାଣୀ ଉପବାସ କରିଥିଲେ। ସନ୍ଧ୍ୟା ଧୂପ ସରିବାପରେ ବିଶୋୟୀ ସେବକ ସାତପୁରୀ ପିଠାରେ ବ୍ୟବହୃତ ମୁଗ, ରାଶି, ବୁଟ ଇତ୍ୟାଦିକୁ ନୃସିଂହଙ୍କ ସମ୍ମୁଖରେ ଅସ୍ଥାୟୀ ଚୁଲିକରି ଭାଜିଥିଲେ। ଉକ୍ତ ଭଜା ସାମଗ୍ରୀକୁ ନେଇ ମହାସୁଆର ସେବକ ସାତଗୋଟି ସାତପୁରୀ ତିଆରି କରିଥିଲେ। ଶ୍ରୀ ଜୀଉଙ୍କ ସନ୍ଧ୍ୟା ଧୂପ ପରେ ଉକ୍ତ ସାତପୁରୀ ଏବଂ ଚରୁଅନ୍ନକୁ ରୁପାଥାଳିରେ ମା’ ପାର୍ବତୀଙ୍କ ସମ୍ମୁଖରେ ରଖାଯାଇଥିଲା। ପରେ ଏହାକୁ ପୂଜାପଣ୍ଡା ସେବାୟତ ଭୋଗ ନୈବେଦ୍ୟ କରି ଆଳତି କରିଥିଲେ। ଏହାପରେ ମନ୍ଦିର ତରଫରୁ ସେବକମାନଙ୍କୁ ନଡ଼ିଆ ବଣ୍ଟନ କରାଯାଇଥିଲା।

Share