ମହାପ୍ରଭୁଙ୍କୁ ଲାଗି ହେଲା ସପ୍ତପୁରୀ ଭୋଗ

ପୁରୀ ଅଫିସ,୨୭।୮- ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଶନିବାର ଶ୍ରୀମନ୍ଦିର ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସପ୍ତପୁରୀ (ସାତପୁରୀ) ବିଶିଷ୍ଟ ପିଠା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କଠାରେ ଭୋଗଲାଗି କରାଯାଇଛି। ଏଥିସହ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣଙ୍କ ଲୀଳାରେ ବସ୍ତ୍ରହରଣ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅବକାଶ ନୀତି ପରେ ତିନିବାଡ଼ରେ ବେଶ ବଢି ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। ପରେ ରୋଷ ଘରେ ହୋମ ସମ୍ପନ୍ନ ହୋଇ ସାତପୁରୀ ପିଠା ପ୍ରସ୍ତୁତ ହୋଇଥିଲା। ସକାଳ ଧୂପ ହୋଇ ସାତପୁରୀ ଭୋଗ ତାଟ ରୋଷଘରୁ ମହାପ୍ରଭୁଙ୍କ ନିକଟକୁ ଆସିଥିଲା। ପରେ ମୁଦିରସ୍ତ ପ୍ରସାଦ ଲାଗି କରି ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଭୋଗ ମଣୋହୀ କରିଥିଲେ। ଭିତର ଆଳତି ବଢିବା ପରେ ପୂଜାପଣ୍ଡା, ମୁଦିରସ୍ତ ଏବଂ ପତି ମହାପାତ୍ର ୩ ବାଡ଼ରେ ତାଟଥାଇ ବନ୍ଦାପନା କରିଥିଲେ। ସେହିପରି ଶ୍ରୀ ବିଗ୍ରହମାନଙ୍କ ମଧ୍ୟାହ୍ନ ଧୂପ ସମ୍ପନ୍ନ ପରେ ଶ୍ରୀମନ୍ଦିରରୁ ସପ୍ତପୁରୀ ତାଟ ରାଜନଅରକୁ ବିଜେ କରିଥିଲେ। ଘଣ୍ଟ, ଛତା, କାହାଳି ସହ ସପ୍ତପୁର ପିଠା ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ବିଜେ କରିଥିଲେ।

Share