ସାରଦା ଖଣିକୁ ୨୦୫୬ କୋଟି ଟଙ୍କା ଜରିମାନା

କେନ୍ଦୁଝର,୩୧।୧(ସ୍ବ.ପ୍ର.) : ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ ଉପରେ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ଟଙ୍କାର ଜରିମାନା କରାଯାଇଥିବା ଯୋଡ଼ା ସ୍ଥିତ ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି। ବିନା ପରିବେଶୀୟ ଆନୁମତିରେ ଧାର୍ଯ୍ୟଠାରୁ ବହୁ ଅଧିକ ଖଣି ଖନନ କରାଯାଇଥିବା ଜଣାପଡ଼ିବା ପରେ ଆଗରୁ ଦୁଇ ଥର କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଜରିମାନା କରାଯାଇଥିବା ଜଣାପଡ଼ିଛି। ଏନେଇ ଗତ ୨୫ ତାରିଖରେ କେନ୍ଦୁଝର ଜିଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ବତଙ୍କ ନିକଟକୁ ଜରିମାନା ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି। ଏନେଇ ସାରଦା ଖଣିର ନିର୍ଦ୍ଦେଶକଙ୍କୁ ଫୋନ ଯୋଗେ ପଚରା ଯାଇଥିଲେ ହେଁ ବ୍ୟସ୍ତତା ଥିବା ଦର୍ଶାଇ କିଛି କହି ନ ଥିଲେ। ତେବେ ୧୫ ଦିନ ମଧ୍ୟରେ ଏମ୍‌ଏମଡିଆର ଆକ୍ଟ ଅନୁଯାୟୀ କ୍ଷତିପୂରଣ ବାବଦରେ ଉକ୍ତ ଜରିମାନା ପୈଠ କରିବାକୁ ଆଦେଶ ଦିଆଯାଇଛି।

Share