ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା

ମହାକାଳପଡ଼ା,୨୯ା୫ (ଡି.ଏନ.ଏ.): ତେଲଙ୍ଗାନା ରାଜ୍ୟ ରାଜଧାନୀ ହାଇଦ୍ରାବାଦଠାରେ ୧୮ରୁ ୨୧ ତାରିଖ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ମିସ୍‌ ଟିନ୍‌ ସୁପର ଗ୍ଲୋବ୍‌-୨୦୨୩ରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସରନ୍ୟା ସାମନ୍ତରାୟ (୧୪) ଶୀର୍ଷ ସ୍ଥାନ ଅଧିକାର କରି କେନ୍ଦ୍ରାପଡ଼ା ଜିଲାକୁ ଗୌରବାନ୍ବିତ କରିଛନ୍ତି। ସରନ୍ୟା ହେଉଛନ୍ତି ମହାକାଳପଡ଼ା ବ୍ଲକ ରାମନଗର ମା’ ରାମଚଣ୍ଡୀ ମନ୍ଦିରର ବରିଷ୍ଠ ସେବାୟତ ସ୍ବର୍ଗତ ଗୁରୁଚରଣ ସାମନ୍ତରାୟଙ୍କ ପୁତ୍ର ପ୍ରଶାନ୍ତ ସାମନ୍ତରାୟ ଓ ମୋନାଲିସା ରାଜଗୁରୁଙ୍କ ଝିଅ। ସରନ୍ୟା ଏହାସହ ବେଷ୍ଟ ନ୍ୟାଶନାଲ କଷ୍ଟୁମ ଆଓ୍ବାଡ ଅଧିକାରିଣୀ ହୋଇଛନ୍ତି। ନିକଟରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୱାଲର୍‌ଡ ବିଉଟି ପ୍ୟାଜେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧି କରିବାକୁ ମନୋନୀତ ହୋଇଛନ୍ତି। ସରନ୍ୟା ଭୁବନେଶ୍ୱରର ରାମମନ୍ଦିରସ୍ଥିତ ସେଣ୍ଟ ଯୋଶେଫ ସ୍କୁଲର ନବମ ଶ୍ରେଣୀରେ ଅଧ୍ୟୟନରତା। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିବା ସରନ୍ୟା ଜଣେ ମେଧାବୀ ଛାତ୍ରୀ, ନୃତ୍ୟଶିଳ୍ପୀ ଓ ମଡେଲ ମଧ୍ୟ। ୨୦୨୦ରେ ସରନ୍ୟାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ନାରୀ ସଶକ୍ତୀକରଣଭିତ୍ତିକ ଚଳଚ୍ଚିତ୍ର ‘ମାନ୍ୟଣ’ ଦେଶ ବିଦେଶରେ ପୁରସ୍କୃତ ହୋଇଛି। ଏହି ଚଳଚ୍ଚିତ୍ରରେ ସରନ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏଥିସହ ସରନ୍ୟା କାରମାସ ଫିଲ୍ମ ଫେଷ୍ଟିଭାଲ, ନ୍ୟୁଓ୍ବର୍କ ଆଇଏଫ୍‌ଏଫ୍‌ ଓ ଦାଦା ସାହେବ ଫାଲ୍‌କେ ଏଫ୍‌ଏଫ୍‌, ରାମେଶ୍ୱରମ୍‌ ଆଇଏଫ୍‌ଏଫ୍‌ ଏବଂ ଆଣ୍ଡମାନ ନିକୋବର ଆଇଏଫ୍‌ଏଫ୍‌ ଅନୁଷ୍ଠାନରେ ନିଜର କଳା ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ସରନ୍ୟା ଭବିଷ୍ୟତରେ ନୃତ୍ୟ, ଅଭିନୟ ସହ ପ୍ରଶାସନିକ ସେବାର ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ତାଙ୍କ ବାପା ପ୍ରଶାନ୍ତ କହିଛନ୍ତି।