ଭଦ୍ରକ,୧୦ା୧୧: ଏକ ମାରପିଟ୍ ମାମଲାରେ ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଫରହତ ଆଲାମ୍ ଓରଫ ଲୁକାଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାସକ ତଳେ ଜଣେ ନାବାଳକଙ୍କୁ ୩/୪ ଜଣ ଆକ୍ରମଣ କରୁଥିବା ବେଳେ ତାଙ୍କ ମା ଓ ଭଉଣୀ ଅଟକାଇଥିଲେ। ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ତାଙ୍କ ଭଉଣୀ ମୋବାଇଲରେ ଭିଡିଓ ରେକର୍ଡ କରୁଥିବା ବେଳେ ସରପଞ୍ଚ ମୋବାଇଲ ଛଡ଼ାଇ ନେଇଥିଲେ। ପରେ ମୋବାଇଲ ଫର୍ମାଟ କରି ସମସ୍ତ ପ୍ରମାଣ ନଷ୍ଟ କରି ୧୦ଦିନ ପରେ ପୋଲିସକୁ ମୋବାଇଲ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାରେ ସରପଞ୍ଚଙ୍କୁ ଗିରଫ କରିବାରେ ବିଳମ୍ବ କରୁଥିଲା। ହିନ୍ଦୁ ସ୍ବାଭିମାନ ମଞ୍ଚ ଏହି ଘଟଣାକୁ ନେଇ ଖବରଦାତା ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୨ ତାରିଖରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଥିଲେ। ପରେ ଗତକାଲି ରାତିରେ ଫରହତ ଆଲାମଙ୍କୁ ଗିରଫ କରି ଆଜି ସକାଳେ କୋର୍ଟ ଚାଲଣ କରିଛି ପୋଲିସ।