ଦାଦନ ଶ୍ରମିକଙ୍କୁ ବନ୍ଦକ ପକାଇ ଗିରଫ ହେଲେ ସର୍ଦ୍ଦାର

କୋକସରା,୨୦।୩: କଳାହାଣ୍ଡି ଜିଲା କୋକସରା ଏବଂ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ନେଇଯାଇଥିଲେ ଜଣେ ଦାଦନ ସର୍ଦ୍ଦାର। ସେଠାରେ ସର୍ଦ୍ଦାର ଜଣକ ଶ୍ରମିକମାନଙ୍କୁ ଏକ ଠିକାସଂସ୍ଥାରେ ବନ୍ଦକ ପକାଇ ଫେରାର ହୋଇଯାଇଥିଲେ। ଏହା ଜାଣି ଶ୍ରମିକଙ୍କ ପରିବାର ଲୋକେ କୋକସରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ. ୨୫୨/୨୧)ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ବନ୍ଦକ ରହିଥିବା ୭ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ସେତିକିବେଳେ ପୋଲିସ ଘଟଣାରେ ସମ୍ପୃକ୍ତ ଦାଦନ ସର୍ଦ୍ଦାର କୃଷ୍ଣ ଦୂର୍ଗାଙ୍କୁ ଗିରଫ କରିଥିଲେ। ଘଟଣାର ୫ ମାସ ପରେ କୋକସରା ପୋଲିସ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଦାଦନ ସର୍ଦ୍ଦାର ସୀତାରାମ ଓରଫ ସନ୍ତୋଷ ପାଣ୍ଡେ(୩୫)ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ସନ୍ତୋଷଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି।

Share