ଶାଢ଼ି ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଚାନ୍ଦବାଲି,୧୧ା୭(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରସ୍ଥିତ ଭାଗ୍ୟଲକ୍ଷ୍ମୀ ଫେଶନ୍‌ ଶାଢ଼ି ଦୋକାନର ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୋକାନରେ ଥିବା ସବୁ ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ପୋଡ଼ ପାଉଁଶ ହୋଇଯାଇଛି। ସକାଳୁ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦୋକାନ ମାଲିକ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଚାନ୍ଦବାଲିରୁ ଦୁଇଟି ଦମକଳ ଗାଡି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ବନ୍ଦ ସଟରକୁ ଭାଙ୍ଗି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇଁ ଦୋକାନ ମାଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା କୁହାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।