Categories: ଖେଳ

ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…

ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମ୍‌। ସେ ଏକାଦଶରୁ ମହମ୍ମଦ ରିଜଓ୍ବାନଙ୍କୁ ବାହାର କରିଦେଇଥିବା ଦେଖାଯାଇଛି। ତେବେ ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି।

ରିଜଓ୍ବାନଙ୍କ ସ୍ଥାନରେ ପାକିସ୍ତାନ ଦଳରେ ସରଫରାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି। ସେ ୩ ବର୍ଷ ପରେ ଟେଷ୍ଟ ଟିମକୁ ଫେରିଛନ୍ତି। ସରଫରାଜ ହିଁ ମ୍ୟାଚ୍‌ର ଦଳର ଉଇକେଟକିପର ହେବା ସହ ମିଡିଲ୍‌ ଅର୍ଡରରେ ଖେଳିବାକୁ ଓହ୍ଲାଇବେ। ଏହି ମ୍ୟାଚ୍‌ ତାଙ୍କର ୫୦ତମ ଟେଷ୍ଟ ମ୍ୟାଚ୍‌ ହେବ। ଏଯାବତ ସେ ୪୯ ଟେଷ୍ଟ ମ୍ୟାଚ୍‌ରେ ୨୬୫୭ ରନ୍‌ କରିଛନ୍ତି।

କହିରଖୁଛୁ ଯେ, ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଇଂଲଣ୍ଡଠାରୁ ଘରୋଇ ମଇଦାନରେ ପରାଜିତ ହେବା ପରେ ଦଳ ସମାଲୋଚିତ ହୋଇଥିଲା। ପାକିସ୍ତାନୀ ପ୍ରଶଂସକଙ୍କ ସମେତ କ୍ରିକେଟ ବିଷାରଦମାନେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଥିଲେ। ରିଜଓ୍ବାନ ଏବଂ ବାବରଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏସବୁ ମଧ୍ୟରେ ଶାହିଦ ଆଫ୍ରିଦିଙ୍କୁ ଚୟନ କମିଟି ଦାୟିତ୍ୱ ଦିଆଯାଇଥିଲା, ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ରିଜଓ୍ବାନଙ୍କ ସ୍ଥାନରେ ସରଫରାଜଙ୍କୁ ସୁଯୋଗ ଦିଆଯାଇଛି। ଏଥିସହ ମୀର ହମ୍‌ଜାଙ୍କୁ ଏକାଦଶରେ ସାମିଲ କରାଯାଇଛି। ସେ ମଧ୍ୟ ୪ ବର୍ଷ ପରେ ଦଳକୁ ଫେରିଛନ୍ତି। ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି।

Share